ଅମିତ ଶାହଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ, ବାପାଙ୍କ ଜୀବନ ପ୍ରତି ବିପଦ ଥିବା କହିଲେ | News Room Odisha

ଅମିତ ଶାହଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ, ବାପାଙ୍କ ଜୀବନ ପ୍ରତି ବିପଦ ଥିବା କହିଲେ

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଧାରଣ ସମ୍ପାଦକ ନାରା ଲୋକେଶ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଜେଲରେ ଥିବା ତାଙ୍କ ବାପା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି । ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ନାଇଡୁ ସେପ୍ଟେମ୍ବର ୧୧ ରୁ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ କେନ୍ଦ୍ରୀୟ ଜେଲରେ ଅଛନ୍ତି। ତାଙ୍କର ବିଚାର ବିଭାଗୀୟ ହାଜତ ମିଆଦ ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଶାହଙ୍କୁ ଭେଟିବା ପରେ ‘ଏକ୍ସ’ରେ ଏକ ପୋଷ୍ଟରେ ଲୋକେଶ କହିଛନ୍ତି, ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୀଙ୍କୁ ଭେଟି ତାଙ୍କୁ ଆନ୍ଧ୍ର ପ୍ରଦେଶରେ ଓ୍ବାଇଏସ୍ଆରସିପି (ଯୁବାଜନ ଶ୍ରମିକ ରାୟୁତୁ କଂଗ୍ରେସ ପାର୍ଟି) ଦ୍ବାରା ସରକାରୀ କଳର ଅପବ୍ୟବହାର, ପ୍ରତିଶୋଧ ପରାୟଣ ରାଜନୀତି ଏବଂ ସେହି ଜେଲର ଭୟାବହ ଅବସ୍ଥା ବିଷୟରେ ଅବଗତ କରିଛି ଯେଉଁଠି ତାଙ୍କ (ନାଇଡୁ) ଜୀବନ ପ୍ରତି ବିପଦ ରହିଛି ।”

ଆନ୍ଧ୍ରପ୍ରଦେଶ ସିଆଇଡି ଅମରାବତୀ ଇନର୍ ରିଙ୍ଗ୍ ରୋଡ୍ ସ୍କାମ ମାମଲାରେ ନାଇଡୁଙ୍କୁ ପଚରାଉଚରା କରିବାର ଦିନକ ପରେ ଲୋକେଶ ଶାହାଙ୍କୁ ଭେଟିଛନ୍ତି ।

ନିକଟରେ ଲୋକେଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କ ବାପାଙ୍କ ଗିରଫଦାରୀ ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ।