ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-୩ | News Room Odisha

ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଶୁକ୍ରବାର ଦେଶର ‘ବାହୁବଳୀ’ ରକେଟ୍ ଏଲଭିଏମ୍୩-ଏମ୍୪ ଦ୍ବାରା ମହାକାଶକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି |

ଚନ୍ଦ୍ରଯାନ-୩ ମହାକାଶଯାନରେ ତିନୋଟି ଲ୍ୟାଣ୍ଡର / ରୋଭର ଏବଂ ପ୍ରପଲସନ୍ ମଡ୍ୟୁଲ୍ ଅଛି | ପ୍ରାୟ ୪୦ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୩ କିମ୍ବା ୨୪ରେ ଲ୍ୟାଣ୍ଡର ଏବଂ ରୋଭର ଚନ୍ଦ୍ରର ଦକ୍ଷିଣାର୍ଦ୍ଧରେ ଓହ୍ଲାଇବ | ଏହି ଦୁଇ ଯନ୍ତ୍ରପାତି ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ପରୀକ୍ଷା ନିରୀକ୍ଷା କରିବେ | ପ୍ରପଲସନ୍ ମଡ୍ୟୁଲ୍ ଚନ୍ଦ୍ରର କକ୍ଷପଥରେ ରହି ପୃଥିବୀରୁ ଆସୁଥିବା ବିକିରଣର ଅଧ୍ୟୟନ କରିବ | ଏହି ମିଶନ୍ ମାଧ୍ୟମରେ ଇସ୍ରୋ ଚନ୍ଦ୍ରପୃଷ୍ଠ କିପରି ଭୂକମ୍ପ ପ୍ରବଣ, ଏହାର ମାଟି ଏବଂ ଧୂଳି ଆଦି ସମ୍ପର୍କରେ ଅଧ୍ୟୟନ କରିବ ।

ଚନ୍ଦ୍ର ମିଶନ୍’ ହେଉଛି ୨୦୧୯ ‘ଚନ୍ଦ୍ରଯାନ-୨’ର ଏକ ଫଲୋଅପ୍ ମିଶନ୍ | ଭାରତର ଏହି ତୃତୀୟ ଚନ୍ଦ୍ର ମିଶନରେ ମହାକାଶ ବିଜ୍ଞାନୀଙ୍କ ପ୍ରାଥମିକ ଲକ୍ଷ୍ୟ ହେବ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ‘ସଫ୍ଟ ଲ୍ୟାଣ୍ଡିଂ’ । ‘ଚନ୍ଦ୍ରଯାନ-୨’ ମିଶନର ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡର ‘ବିକ୍ରମ’ ଲକ୍ଷ୍ୟପଥରୁ ବିଚ୍ୟୁତ ହେବାରୁ ‘ସଫ୍ଟ ଲ୍ୟାଣ୍ଡିଂ’ କରିପାରିନଥିଲା । ଯଦି ଏଥର ମିଶନ ସଫଳ ହୁଏ, ତେବେ ଆମେରିକା, ରୁଷ ଏବଂ ଚୀନ୍ ପରେ ଭାରତ ଚତୁର୍ଥ ଦେଶ ହେବ। ଉଭୟ ଆମେରିକା ଏବଂ ରୁଷ ସଫଳତାର ସହିତ ଚନ୍ଦ୍ରରେ ଅବତରଣ କରିବା ପୂର୍ବରୁ ଅନେକ ମହାକାଶଯାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚୀନ୍ ହେଉଛି ଏକମାତ୍ର ଦେଶ ଯିଏକି ୨୦୧୩ରେ ଚନ୍ଦ୍ର ମିଶନରେ ନିଜ ପ୍ରଥମ ପ୍ରୟାସରେ ସଫଳ ହୋଇଥିଲା |