ଚନ୍ଦ୍ର ଅଭିମୁଖେ ଯାତ୍ରାରେ ଆଉ ଏକ ସଫଳତା, ଚନ୍ଦ୍ରଯାନ-୩ରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ | News Room Odisha

ଚନ୍ଦ୍ର ଅଭିମୁଖେ ଯାତ୍ରାରେ ଆଉ ଏକ ସଫଳତା, ଚନ୍ଦ୍ରଯାନ-୩ରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

ବେଙ୍ଗାଲୁରୁ: ଚନ୍ଦ୍ରରେ ଅବତରଣ କରିବା ଦିଗରେ ଆଉ ପାଦେ ନିକଟତର ହୋଇଛି ଚନ୍ଦ୍ରଯାନ-୩ । ଭାରତର ମୁନ୍ ମିଶନ ନେଇ ଆଉ ଏକ ଖୁସି ଖବର ଦେଇଛି ଇସ୍ରୋ | ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଆଜି ମହାକାଶ ଯାନରୁ ସଫଳତାର ସହିତ ଅଲଗା ହୋଇଛି । ବର୍ତ୍ତମାନ ଏହା ୨୩ ଅଗଷ୍ଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିବ ବୋଲି ଆଶା କରାଯାଉଛି | ଇସ୍ରୋ ଗୁରୁବାର ଏକ ଟୁଇଟ୍ କରି କହିଛି, ‘ଲ୍ୟାଣ୍ଡର୍ ମଡ୍ୟୁଲକୁ ସଫଳତାର ସହିତ ପ୍ରୋପଲସନ୍ ମଡ୍ୟୁଲ୍ ଠାରୁ ଅଲଗା କରି ଦିଆଯାଇଛି | ଆସନ୍ତାକାଲି ଡିବୁଷ୍ଟିଂ ପରେ ଯୋଜନାବଦ୍ଧ ଭାବେ ଲ୍ୟାଣ୍ଡର୍ ମଡ୍ୟୁଲ୍ ନିମ୍ନ କକ୍ଷକୁ ଓହ୍ଲାଇବାକୁ ପ୍ରସ୍ତୁତ |

ମହାକାଶ ଯାନଠୁ ଅଲଗା ହେବା ପରେ ଲ୍ୟାଣ୍ଡର ‘ଡିବୁଷ୍ଟ’ (ମନ୍ଥର ପ୍ରକ୍ରିୟା) ଦେଇ ଅତିକ୍ରମ କରିବ । ଯାହାଫଳରେ ଏହାକୁ ଏକ ଏପରି କକ୍ଷପଥରେ ସ୍ଥାପିତ କରାଯାଇ ପାରିବ ଯେଉଁଠାରୁ ପେରିଲ୍ୟୁନ୍ (ଚନ୍ଦ୍ରର ନିକଟତମ ବିନ୍ଦୁ) ୩୦ କିଲୋମିଟର ଏବଂ ଅପୋଲ୍ୟୁନ (ଚନ୍ଦ୍ରଠାରୁ ଦୂରତମ ବିନ୍ଦୁ) ୧୦୦ କିମି ଅଟେ | ଏହି କକ୍ଷପଥରୁ ଲ୍ୟାଣ୍ଡରକୁ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇବାକୁ ଉଦ୍ୟମ କରାଯିବ ବୋଲି ଇସ୍ରୋ କହିଛି।

ଭାରତର ଏହି ମୁନ୍ ମିଶନ ବୁଧବାର ଚନ୍ଦ୍ରର ପଞ୍ଚମ ତଥା ଅନ୍ତିମ କକ୍ଷପଥର ପରିକ୍ରମା ଶେଷ କରି ଚନ୍ଦ୍ର ସୀମାର ନିକଟତର ହୋଇଥିଲା ।

ଜୁଲାଇ ୧୪ରେ ଲଞ୍ଚ ହେବା ପରେ ଚନ୍ଦ୍ରଯାନ-୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷରେ ପ୍ରବେଶ କରିଥିଲା | ପରେ ଏହା ଅଗଷ୍ଟ ୬, ୯ ଏବଂ ୧୪ରେ ଚନ୍ଦ୍ରର ପରବର୍ତ୍ତୀ କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରର ନିକଟତର ହୋଇଥିଲା |