ପଞ୍ଜାବ ନିର୍ବାଚନ: ଚନ୍ନି ଦୁଇଟି ଆସନରୁ ଲଢ଼ିବେ | News Room Odisha

ପଞ୍ଜାବ ନିର୍ବାଚନ: ଚନ୍ନି ଦୁଇଟି ଆସନରୁ ଲଢ଼ିବେ

ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପଞ୍ଜାବର ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତୃତୀୟ ତାଲିକାରେ ଦଳ ମୋଟ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାପୂର୍ବରୁ ଜାନୁଆରୀ ୧୫ରେ ଦଳ ୮୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନି ଏବଂ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ଆସନ ମଧ୍ୟ ଘୋଷଣା କରାଯାଇଥିଲା। ଏହା ସହ ଦଳ ଏପର୍ଯ୍ୟନ୍ତ ୧୧୭ ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭା ପାଇଁ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

କଂଗ୍ରେସ ଦ୍ଵାରା ଜାରି ତୃତୀୟ ତାଲିକାରେ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ନାମ ରହିଛି । ସେ ଭାଦୌର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଏହାପୂର୍ବରୁ କଂଗ୍ରେସର ପ୍ରଥମ ତାଲିକାରେ ମଧ୍ୟ ଚନ୍ନିଙ୍କୁ ଚମକୌର ସାହିବରୁ ପ୍ରାର୍ଥୀ କରାଯାଇଥିଲା। ଏଥିରୁ ସ୍ପଷ୍ଟ ଯେ ଚନ୍ନି ଦୁଇଟି ଆସନରୁ ଲଢ଼ିବେ। ସେ ଦୁଇଟି ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା ।

ଜାନୁଆରୀ ୮ରେ ନିର୍ବାଚନ ଆୟୋଗ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଥିଲେ। ପଞ୍ଜାବର ୧୧୭ ଟି ସିଟ୍ ପାଇଁ ଫେବୃଆରୀ ୨୦ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଗତ ବର୍ଷ ନବଜୋତ ସିଂ ସିଦ୍ଧୁ ଏବଂ ପଞ୍ଜାବର ପୂର୍ବତନ ସିଏମ ଅମରିନ୍ଦର ସିଂଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦ ଯୋଗୁଁ ପଞ୍ଜାବ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ବିବାଦରେ କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କ ସହ ଛିଡା ହୋଇଥିଲେ ଏବଂ ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ମୁଖ୍ୟ କରାଯାଇଥିଲା । ଏହାପରେ ଅମରିନ୍ଦର ସିଂଙ୍କୁ ମଧ୍ୟ ପଞ୍ଜାବର ସିଏମ୍ ପଦ ହରାଇବାକୁ ପଡିଥିଲା। ତା’ପରେ ଅମରିନ୍ଦର ସିଂ କଂଗ୍ରେସ ସହ ସମ୍ପର୍କ ଭାଙ୍ଗି ନିଜର ଏକ ନୂତନ ଦଳ ଗଠନ କରିଥିଲେ। ଅମରିନ୍ଦର ସିଂଙ୍କ ଗଡ଼ ବୋଲି ବିବେଚନା କରାଯାଉଥିବା ପଟିଆଲା ଆସନରୁ କଂଗ୍ରେସ ଏହି ତୃତୀୟ ତାଲିକାରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ଏଥର ବିଷ୍ଣୁ ଶର୍ମାଙ୍କୁ ପଟିଆଲା ଆସନରୁ ପ୍ରାର୍ଥୀ କରାଯାଇଛି।