ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଅଭୟକାନ୍ତ ଓ ପୁଅ ଆକାଶ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ | News Room Odisha

ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଅଭୟକାନ୍ତ ଓ ପୁଅ ଆକାଶ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବରଖାସ୍ତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ବିରୋଧରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ ବିଭାଗ। ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ବରଖାସ୍ତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ବିରୋଧରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ ।

ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ବିରୋଧରେ ବି ଚାର୍ଜସିଟ୍ ଦାଖଲ କରାଯାଇଛି। ସରକାରୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଅଭୟକାନ୍ତଙ୍କ ବିରୋଧରେ ୨୦୨୦ ମସିହା ନଭେମ୍ବର ୨୭ ତାରିଖରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ତଦନ୍ତ ସମୟରେ ଅଭୟକାନ୍ତଙ୍କ ୧୬ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଓଡ଼ିଶାରେ ୭, ବିହାରରେ ୨, ମୁମ୍ବାଇ/ ପୁଣେରେ ୬ ଓ ରାଜସ୍ଥାନର ଗୋଟିଏ ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ। ୧୪ କୋଟି ୨୫ ଲକ୍ଷ ୪୬ ହଜାର ୯୦୧ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଅଭୟକାନ୍ତ ଓ ଆକାଶଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ଅର୍ଥ ଜମା ଥିବା ଜାଣି ପାରିଥିଲା ଭିଜିଲାନ୍ସ। ଏ ବାବଦରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ପାଠକ ବାପା -ପୁଅ ।