କାଠମାଣ୍ଡୁ: ୧୯ ବର୍ଷ ଜେଲଦଣ୍ଡ କାଟିବା ପରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ କୁଖ୍ୟାତ ଅପରାଧୀ ଚାର୍ଲ୍ସ ଶୋଭରାଜଙ୍କୁ ନେପାଳର ଏକ ଜେଲରୁ ଶୁକ୍ରବାର ମୁକ୍ତ କରାଯାଇଛି । ଜେଲରୁ ମୁକୁଳିବା ପରେ ଶୋଭରାଜଙ୍କୁ ତାଙ୍କ ଦେଶ ଫ୍ରାନ୍ସକୁ ଆଜି ହିଁ ପଠାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ନେପାଳ ଆସିବାକୁ ତାଙ୍କ ଉପରେ ଆଜୀବନ କଟକଣା ଲଗାଯିବ ବୋଲି କୁହାଯାଇଛି ।
ତାଙ୍କ ବୟସ ଦୃଷ୍ଟିରୁ ୭୮ ବର୍ଷିୟ ଶୋଭରାଜଙ୍କୁ ମୁକ୍ତ କରିବାକୁ ବୁଧବାର ନେପାଳର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ କାଗଜପତ୍ର ପ୍ରସ୍ତୁତ ହୋଇନଥିବାରୁ ସେ ଗୋଟିଏ ଦିନ ବିଳମ୍ବରେ ମୁକୁଳିଛନ୍ତି ।
‘ବିକିନି କିଲର’ ଭାବେ କୁଖ୍ୟାତ ଶୋଭରାଜ ୧୯୭୫ ମସିହାରେ ନେପାଳରେ ଜଣେ ଆମେରିକୀୟ ମହିଳା ପର୍ଯ୍ୟଟକ କନି ଜୋ ବ୍ରୋଞ୍ଜିକ୍ ହତ୍ୟା ମାମଲାରେ ୨୦୦୩ରୁ କାଠମାଣ୍ଡୁ ଜେଲରେ ଆଜୀବନ ଜେଲ୍ ଦଣ୍ଡ କାଟୁଥିଲେ ।
ପୁଣି ୨୦୧୪ରେ ଜଣେ କାନାଡା ପର୍ଯ୍ୟଟକ ଲରେଣ୍ଟ କ୍ୟାରିଅରଙ୍କ ହତ୍ୟା ମାମଲାରେ ଶୋଭରାଜଙ୍କୁ ଦ୍ୱିତୀୟ ଥର ଆଜୀବନ କାରାଦଣ୍ଡ ହୋଇଥିଲା । ନେପାଳରେ ଆଜୀବନ କାରାଦଣ୍ଡର ଅର୍ଥ ୨୦ ବର୍ଷ ଜେଲ୍ | ଆବଶ୍ୟକତାଠାରୁ ଅଧିକ ଦିନ ଜେଲରେ ରହିବା ଓ ନିଜ ବୟସ ଦର୍ଶାଇ ଶୋଭାରାଜ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ତାଙ୍କର ଏହି ଆବେଦନକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଶୋଭରାଜଙ୍କୁ ଅଗଷ୍ଟ ୨୦୦୩ରେ କାଠମାଣ୍ଡୁର ଏକ କ୍ୟାସିନୋରୁ ଗିରଫ କରାଯାଇଥିଲା।
ଚାର୍ଲ୍ସ ଶୋଭରାଜ ୬ ଏପ୍ରିଲ ୧୯୪୪ରେ ଭିଏତନାମର ସାଇଗନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ଭିଏତନାମର ହୋଇଥିବା ବେଳେ ବାପା ଥିଲେ ଭାରତୀୟ । ତାଙ୍କ ଜନ୍ମ ସମୟରେ ଭିଏତନାମ ଫ୍ରାନ୍ସ ଦଖଲରେ ଥିଲା। ଏକ ଫ୍ରାନ୍ସ ଅଧିକୃତ ଦେଶରେ ଜନ୍ମ ହୋଇଥିବାରୁ ଶୋଭରାଜଙ୍କ ପାଖରେ ଫ୍ରାନ୍ସର ନାଗରିକତା ରହିଛି | ଚାର୍ଲ୍ସ ଶୋଭରାଜଙ୍କ ପ୍ରକୃତ ନାମ ହତଚଣ୍ଡ ଭାଓନାନି ଗୁରୁମୁଖ ଚାର୍ଲ୍ସ ଶୋଭରାଜ | ଅପରାଧ ଦୁନିଆରେ ସେ ‘ବିକିନି କିଲର’ ଏବଂ ‘ସର୍ପେଣ୍ଟ’ ନାମରେ ଖ୍ୟାତ। ସେ ଜଣେ ସିରିଏଲ୍ କିଲର୍ । ଭାରତ, ଥାଇଲାଣ୍ଡ, ନେପାଳ, ତୁର୍କୀ ସହ ବିଭିନ୍ନ ଦେଶରେ ତାଙ୍କ ନାମରେ ୨୦ରୁ ଅଧିକ ହତ୍ୟା ମାମଲା ରହିଛି । ବେଶ ବଦଳାଇ ଅପରାଧ ଘଟାଇବା ଓ ପୋଲିସଙ୍କୁ ଚକମା ଦେଇ ଖସିବାରେ ମାହିର ଥିଲେ ଶୋଭରାଜ ।