ଆନନ୍ଦ ମହିନ୍ଦ୍ରାଙ୍କ ଠାରୁ କାର୍ ପାଇବା ପରେ ନୀରଜଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ଦେଲା ୧ କୋଟି ଟଙ୍କା, ଜାରି କଲା ସ୍ପେଶାଲ଼ ଜର୍ସି | News Room Odisha

ଆନନ୍ଦ ମହିନ୍ଦ୍ରାଙ୍କ ଠାରୁ କାର୍ ପାଇବା ପରେ ନୀରଜଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ଦେଲା ୧ କୋଟି ଟଙ୍କା, ଜାରି କଲା ସ୍ପେଶାଲ଼ ଜର୍ସି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଉପରେ ଏବେ ବି ଧନବର୍ଷା ଜାରି ରହିଛି। ଶନିବାର ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ଠାରୁ ନୀରଜ ଚୋପ୍ରାଙ୍କୁ ଏକ ନୂଆ କାର୍ ଉପହାର ମିଳିଥିଲା । ଆଜି ଆଇପିଏଲ୍ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ନୀରଜଙ୍କୁ ୧ କୋଟି ଟଙ୍କା ପୁରସ୍କାର ସହ ସମ୍ବର୍ଦ୍ଧିତ କରିଛି । ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦେଇଛି।

ମହେନ୍ଦ୍ର ସିଂ ଧୋନିଙ୍କ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ନିକଟରେ ଚତୁର୍ଥ ଥର ପାଇଁ ଆଇପିଏଲ ଜିତିଥିଲା। ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭେଲିନ ଥ୍ରୋ’ ଇଭେଣ୍ଟରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଚେନ୍ନାଇ ସୁପରକିଙ୍ଗ୍ସ ତାଙ୍କ ପାଇଁ କୋଟିଏ ଟଙ୍କା ପୁରସ୍କାର ଘୋଷଣା କରିଥିଲା ​​ |

ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ୍ ଲିମିଟେଡ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ଦେଇଛି । ଏହି ପୁରସ୍କାର ରବିବାର ନୂଆଦିଲ୍ଲୀରେ ନୀରଜ ଚୋପ୍ରାଙ୍କୁ ପ୍ରଦାନ କରାଯାଇଛି।

ଚେନ୍ନାଇ ସୁପରକିଙ୍ଗ୍ସ ଦ୍ୱାରା ନୀରଜ ଚୋପ୍ରାଙ୍କୁ ଏକ ସ୍ୱତନ୍ତ୍ର ଜର୍ସି ମଧ୍ୟ ଦିଆଯାଇଛି, ଯେଉଁଥିରେ ୮୭୫୮ ନମ୍ବର ଲେଖାଯାଇଛି | ଉଲ୍ଲେଖଯୋଗ୍ୟ ଯେ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ପର୍ଯ୍ୟନ୍ତ ଜାଭେଲିନ୍ ଫିଙ୍ଗି ତାଙ୍କ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।

ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ସମ୍ବର୍ଦ୍ଧିତ ହେବା ଅବସରରେ ନୀରଜ ଚୋପ୍ରା କହିଛନ୍ତି ଯେ ଗତ ଦୁଇ ମାସ ମଧ୍ୟରେ ସେ ଦେଶରୁ ବହୁତ ସମ୍ମାନ ଓ ପ୍ରେମ ପାଇଛନ୍ତି। ଭବିଷ୍ୟତରେ ମଧ୍ୟ ସେ ଏହି ପରି କଠିନ ପରିଶ୍ରମ ଜାରି ରଖିବେ ଏବଂ ଦେଶ ପାଇଁ ଭଲ ଫଳାଫଳ ଆଣିବେ ବୋଲି ସେ ଆଶା କରୁଛନ୍ତି।

ଗତକାଲି ନୀରଜ ମହିନ୍ଦ୍ରା ଗ୍ରୁପରୁ ଉପହାର ସ୍ୱରୂପ ଏକ ନୂଆ ଏସୟୁଭି କାର୍ ପାଇଥିଲେ। ଏନେଇ ନୀରଜ, ଆନନ୍ଦ ମହିନ୍ଦ୍ରାଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଥିଲେ। ନୀରଜ ଚୋପ୍ରାଙ୍କ ବ୍ୟତୀତ ଟୋକିଓ ପାରାଲିମ୍ପିକ୍ସ ଜାଭେଲିନ ଥ୍ରୋ’ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିବା ସୁମିତ ଆଣ୍ଟିଲଙ୍କୁ ମଧ୍ୟ ମହିନ୍ଦ୍ରା ଗ୍ରୁପରୁ ଏକ ନୂଆ ଏସୟୁଭି କାର୍ ଉପହାର ଦିଆଯାଇଛି ।