ଚେତନ ଶର୍ମା ପୁଣି ହେଲେ ଚୟନ କମିଟି ଅଧ୍ୟକ୍ଷ | News Room Odisha

ଚେତନ ଶର୍ମା ପୁଣି ହେଲେ ଚୟନ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିସିସିଆଇର କ୍ରିକେଟ୍ ପରାମର୍ଶଦାତା କମିଟି (ସିଏମଡି) ଶନିବାର ନୂଆ ସିନିୟର ପୁରୁଷ ଚୟନ କମିଟିକୁ ନିଯୁକ୍ତ କରିଛି । ଚେତନ ଶର୍ମାଙ୍କୁ ଚୟନ କମିଟି ଅଧ୍ୟକ୍ଷ ଭାବେ ପୁନଃ ନିଯୁକ୍ତି ଦିଆଯାଇଛି । ପୂର୍ବତନ ବ୍ୟାଟ୍ସମ୍ୟାନ୍ ଶିବସୁନ୍ଦର ଦାସଙ୍କୁ ମଧ୍ୟ ନୂଆ ଚୟନ କମିଟିରେ ସାମିଲ କରାଯାଇଛି । ସୁଲକ୍ଷଣା ନାୟକ, ଅଶୋକ ମଲହୋତ୍ରା ଏବଂ ଜତିନ୍ ପରାଞ୍ଜପେ ସିଏସି ସଦସ୍ୟ ଥିଲେ ।

ଗତବର୍ଷ ଟି-୨୦ ବିଶ୍ବକପରେ ସେମିଫାଇନାଲରୁ ଭାରତର ବିଦାୟ ପରେ ବିସିସିଆଇ ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚୟନ କମିଟିକୁ ବରଖାସ୍ତ କରିଥିଲା ।

୧୮ ନଭେମ୍ବର ୨୦୨୨ରେ ବିସିସିଆଇ ପାଞ୍ଚ ସଦସ୍ୟ ବିଶିଷ୍ଟ ନୂଆ ଚୟନ କମିଟି ପାଇଁ ଆବେଦନ ଆହ୍ବାନ କରିଥିଲା । ଚେତନ ଶର୍ମା ପୁଣି ଥରେ ଏହି ପଦ ପାଇଁ ଆବେଦନ କରିଥିଲେ।

ପାଞ୍ଚ ଚୟନକର୍ତ୍ତା ପଦ ପାଇଁ ମୋଟ ୬୦୦ ଆବେଦନ ଗ୍ରହଣ କରାଯାଇଥିଲା । ଏଥିମଧ୍ୟରୁ ସିଏସି ସାକ୍ଷାତକାର ପାଇଁ ୧୧ଟି ନାମ ସର୍ଟଲିଷ୍ଟ କରିଥିଲା । ସାକ୍ଷାତକାର ଆଧାରରେ ସିଏଚସି ନୂଆ ଚୟନ କମିଟି ପାଇଁ ଚେତନ ଶର୍ମାଙ୍କ ସହ ଶିବ ସୁନ୍ଦର ଦାସ (କେନ୍ଦ୍ର ଜୋନ୍) , ସୁବ୍ରତ ବାନାର୍ଜୀ (ପୂର୍ବ ଜୋନ୍), ସଲିଲ ଆଙ୍କୋଲା(ପଶ୍ଚିମ ଜୋନ୍) ଏବଂ ଶ୍ରୀଧରନ୍ ଶରତ(ଦକ୍ଷିଣ ଜୋନ୍) ଙ୍କ ନାମ ସୁପାରିସ କରିଛି ।

ଶିବ ସୁନ୍ଦର ଦାସ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍ ଥିବାବେଳେ ପୂର୍ବତନ ଦ୍ରୁତ ବୋଲର ସଲିଲ ଆଙ୍କୋଲା ଘରୋଇ କ୍ରିକେଟରେ ମୁମ୍ବାଇ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ଥିଲେ।

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ସୁବ୍ରତ ବାନାର୍ଜୀ ଦ୍ରୁତ ବୋଲର ଉମେଶ ଯାଦବଙ୍କ କୋଚ୍ ଥିଲେ। ତାମିଲନାଡୁର ଶରତ ଜୁନିୟର ପୁରୁଷ ଚୟନ କମିଟିର ବର୍ତ୍ତମାନର ଅଧ୍ୟକ୍ଷ ଥିଲେ।

ଆଗାମୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଧଳା ବଲ୍ ସିରିଜ୍ ପାଇଁ ଭାରତୀୟ ଦଳ ବାଛିବା ନୂଆ ଚୟନ କମିଟିର ପ୍ରଥମ କାର୍ଯ୍ୟ ହେବ ।