'ପେଗାସସର ଆଡଭାନ୍ସଡ୍ ଭର୍ସନ ଅଛି କି ନାହିଁ ଇସ୍ରାଏଲକୁ ପଚାର', ମୋଦିଙ୍କୁ ଚିଦାମ୍ବରମଙ୍କ କଟାକ୍ଷ | News Room Odisha

‘ପେଗାସସର ଆଡଭାନ୍ସଡ୍ ଭର୍ସନ ଅଛି କି ନାହିଁ ଇସ୍ରାଏଲକୁ ପଚାର’, ମୋଦିଙ୍କୁ ଚିଦାମ୍ବରମଙ୍କ କଟାକ୍ଷ

ନୂଆଦିଲ୍ଲୀ: ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନୈତିକ ସମର୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ପେଗାସସ୍ ସ୍ପାଏୱେୟାର ମାମଲା ନେଇ କଂଗ୍ରେସ ନେତା ପି.ଚିଦାମ୍ବରମ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି । ଭାରତ ଓ ଇସ୍ରାଏଲ ସମ୍ପର୍କ ନେଇ ମୋଦିଙ୍କ ବାର୍ତ୍ତା ଉପରେ ପ୍ରତିକ୍ରିୟା ରଖି ଚିଦାମ୍ବରମ ଟ୍ୱିଟ କରି କହିଛନ୍ତି ଯେ ପେଗାସସ ସ୍ପାଏୱେୟାରର କୌଣସି ଆଡଭାନ୍ସଡ୍ ବା ଉନ୍ନତ ସଂସ୍କରଣ ଅଛି କି ନାହିଁ ଇସ୍ରାଏଲକୁ ପଚାରିବା ପାଇଁ ଏହା ପ୍ରକୃଷ୍ଟ ସମୟ।

ଚିଦାମ୍ବରମ୍ ଏ ସମ୍ପର୍କରେ ଦୁଇଟି ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି-
ଭାରତ-ଇସ୍ରାଏଲ୍ ସମ୍ପର୍କରେ ନୂଆ ଲକ୍ଷ୍ୟ ସ୍ଥିର କରିବା ପାଇଁ ଏହା ସବୁଠୁ ଭଲ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପେଗାସସ୍ ସ୍ପାଏୱେୟାରର କୌଣସି ଆଡଭାନ୍ସଡ୍ ସଂସ୍କରଣ ଅଛି କି ନାହିଁ ଇସ୍ରାଏଲକୁ ପଚାରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ଗତଥର ୨ ବିଲିୟନ ଡଲାରର ଚୁକ୍ତି ହୋଇଥିଲା । ୨୦୨୪ ନିର୍ବାଚନ ପୂର୍ବରୁ ଯଦି ଆମେ ଆହୁରି ଆଡଭାନ୍ସଡ୍ ସ୍ପାଏୱେୟାର ପାଉ, ତେବେ ଆମେ ସେମାନଙ୍କୁ ୪ ବିଲିୟନ ଡଲାର୍ ମଧ୍ୟ ଦେଇପାରିବା। ”

ଦୁଇ ଦେଶ ମଧ୍ୟରେ ତିରିଶ ବର୍ଷର କୂଟନୈତିକ ସମ୍ପର୍କ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଏହି ସମ୍ପର୍କକୁ ଆଗକୁ ନେବା ପାଇଁ ନୂଆ ଲକ୍ଷ୍ୟ ସ୍ଥିର କରିବାର ଏହାଠାରୁ ଉତ୍ତମ ସମୟ ନାହିଁ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟର ଦିନକ ପରେ ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ପ୍ରତିକ୍ରିୟା ଆସିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ୨୦୧୭ରେ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଦୁଇ ବିଲିଅନ୍ ଡଲାର ଚୁକ୍ତିରେ ସ୍ପାଏୱେର୍ ପେଗାସସ୍ ଏବଂ ଏକ ମିସାଇଲ୍ ସିଷ୍ଟମ ସାମିଲ ଥିଲା |