ପାକ୍ ଆତଙ୍କବାଦୀ ବିରୋଧରେ ଜାତିସଂଘରେ ଭାରତର ପ୍ରସ୍ତାବକୁ ପୁଣି ବ୍ଲକ୍ କଲା ଚୀନ୍ | News Room Odisha

ପାକ୍ ଆତଙ୍କବାଦୀ ବିରୋଧରେ ଜାତିସଂଘରେ ଭାରତର ପ୍ରସ୍ତାବକୁ ପୁଣି ବ୍ଲକ୍ କଲା ଚୀନ୍

ନ୍ୟୁୟର୍କ: ପାକିସ୍ତାନର ଆତଙ୍କ ସଂଗଠନ ଲଶ୍କର-ଏ-ତଇବାର ସଇଦ ମେହମୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାକୁ ମିଳିତ ଜାତିସଂଘରେ ଭାରତ ଓ ଆମେରିକାର ମିଳିତ ପ୍ରସ୍ତାବକୁ ଚୀନ୍ ବ୍ଲକ୍ କରିଦେଇଛି।

ନିକଟରେ ମିଳିତ ଜାତିସଂଘରେ ମାନବ ଅଧିକାର ପ୍ରସଙ୍ଗରେ ଭାରତ ପରୋକ୍ଷରେ ଚୀନ୍‌କୁ ସମର୍ଥନ କରିଥିଲା। କିନ୍ତୁ ଚୀନ୍ ପୁଣି ଭାରତକୁ ବିଶ୍ଵାସ ଘାତକତା କରିଛି ।

ଚୀନ୍ ଜାତିସଂଘରେ ଭାରତ ବିରୋଧୀ ପଦକ୍ଷେପ ନେବା ଏହା ପ୍ରଥମ ଦୃଷ୍ଟାନ୍ତ ନୁହେଁ । ପାକିସ୍ତାନୀ ଆତଙ୍କବାଦୀଙ୍କୁ ‘ବିଶ୍ୱ ଆତଙ୍କବାଦୀ’ ଭାବରେ ନାମିତ କରିବା ପାଇଁ ଜାତିସଂଘରେ ଯେବେ ବି ପ୍ରସ୍ତାବ ଆଗତ ହୋଇଛି, ଚୀନ୍ ତାହାକୁ ବ୍ଲକ୍ କରିଛି ।

ଚଳିତ ବର୍ଷ ଅଗଷ୍ଟରେ ମଧ୍ୟ ପାକିସ୍ତାନର ଆତଙ୍କବାଦୀ ସଂଗଠନର ସଦସ୍ୟ ଅବଦୁଲ ରାଉଫ ଅଜହର ଉପରେ କଟକଣା ଲଗାଇବା ଓ ସମ୍ପତ୍ତି ଜବତ କରିବା ପାଇଁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆମେରିକା ଏବଂ ଭାରତର ମିଳିତ ଭାବେ ପ୍ରସ୍ତାବ ଆଣିଥିଲେ ।

ସେତେବେଳେ ମଧ୍ୟ ଚୀନ୍ ଏହି ପ୍ରସ୍ତାବକୁ ବ୍ଲକ୍ କରି ଦେଇଥିଲା। ଅବଦୁଲ ରାଉଫ ଅଜହର ହେଉଛି ମାସୁଦ ଅଜହରର ଭାଇ। ମାସୁଦ ଅଜହର ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ।

ଗତ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମିଳିତ ଜାତିସଂଘର ସାଧାରଣ ସଭାର ୭୭ ତମ ଅଧିବେଶନକୁ ସମ୍ବୋଧିତ କରି ପରୋକ୍ଷରେ ଚୀନ୍‌କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ ଯେ ଘୋଷିତ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ଜାତିସଂଘର ପ୍ରତିବନ୍ଧକ ବ୍ୟବସ୍ଥାକୁ ଯେଉଁ ଦେଶ ରାଜନୀତିକରଣ କରୁଛନ୍ତି, ସେମାନେ ନିଜ ରିସ୍କରେ ଏପରି କରନ୍ତୁ।