ଚୀନର ପୁଣି ଔଦ୍ଧତ୍ୟ, ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ବଦଳାଇଲା | News Room Odisha

ଚୀନର ପୁଣି ଔଦ୍ଧତ୍ୟ, ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ବଦଳାଇଲା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ପ୍ରସଙ୍ଗରେ ଭାରତ ଓ ଚୀନ୍ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ଅଞ୍ଚଳର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି। ଚୀନ୍ ଏହି ୧୧ଟି ଅଞ୍ଚଳ ଓ ସେଗୁଡ଼ିକର “ମାନବକୃତ ଭୌଗୋଳିକ ନାମ” ର ଏକ ତାଲିକା ମଧ୍ୟ ଜାରି କରିଛି |

ଏହି ତାଲିକାରେ ଦୁଇଟି ଆବାସିକ ଅଞ୍ଚଳ, ପାଞ୍ଚଟି ପାର୍ବତ୍ୟାଞ୍ଚଳ, ଦୁଇଟି ନଦୀ ଏବଂ ଅନ୍ୟ ଦୁଇଟି ଅଞ୍ଚଳ ରହିଛି | ତାଲିକା ସହିତ ଏକ ମାନଚିତ୍ର ମଧ୍ୟ ଜାରି କରିଛି ଚୀନ୍ |

ଚୀନ୍ ଯେଉଁ ସ୍ଥାନର ନାମ ପରିବର୍ତ୍ତନ କିମ୍ବା ସେଗୁଡ଼ିକୁ ‘ସ୍ୱୀକୃତି’ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି, ସେଥିରେ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ଏକ ସ୍ଥାନ ମଧ୍ୟ ରହିଛି |

ଗତ ୬ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଚୀନ୍ ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳର ନାମ ପରିବର୍ତ୍ତନ କରିଛି। ଚୀନ୍ ଅରୁଣାଚଳ ପ୍ରଦେଶର ଏହି ଅଂଶକୁ ଜଙ୍ଗନାନ୍ ପ୍ରଦେଶ ବୋଲି କହିଥାଏ । ଏହାପୂର୍ବରୁ ୨୦୧୭ରେ ଅରୁଣାଚଳ ପ୍ରଦେଶର ୬ଟି ଅଞ୍ଚଳର ପରିବର୍ତ୍ତିତ ନାମକୁ ମଧ୍ୟ ମାନ୍ୟତା ଦେଇଥିଲା ଚୀନ୍ ।

ପୁଣି ୨୦୨୧ରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୫ଟି ଅଞ୍ଚଳର ନାମର ଏକ ତାଲିକା ପ୍ରକାଶ କରିଥିଲା | ତେବେ ଏହି ପରିବର୍ତ୍ତିତ ନାମ ପ୍ରସଙ୍ଗରେ ଭାରତ ସରକାର ଚୀନ୍‌କୁ ନିନ୍ଦା କରିଥିଲେ।

ଭାରତ ସରକାର କହିଥଲେ, ନାମ ଉଦ୍ଭାବନ କରିଦେଲେ ବାସ୍ତବତା ବଦଳିଯିବ ନାହିଁ । ଅରୁଣାଚଳ ପ୍ରଦେଶ ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ରହିଥିଲା ଏବଂ ସର୍ବଦା ରହିବ।

ଚୀନ୍ ଅରୁଣାଚଳ ପ୍ରଦେଶର ୯୦ ହଜାର ବର୍ଗ କିଲୋମିଟର ଅଞ୍ଚଳକୁ ନିଜର ବୋଲି କହିବା ସହ ଏହାକୁ ଦକ୍ଷିଣ ତିବ୍ଦତ ବୋଲି ଦାବି କରିଆସୁଛି। ଏପରିକି ଅରୁଣାଚଳ ପ୍ରଦେଶକୁ ଭାରତର କୌଣସି ବରିଷ୍ଠ ନେତା ତଥା ଅଧିକାରୀଙ୍କ ଗସ୍ତ ନେଇ ଆପତ୍ତି ମଧ୍ୟ ଜଣାଇଛି ଚୀନ୍ । ଭାରତ କିନ୍ତୁ ଚୀନର ଏପରି ଦାବିକୁ ଖାରଜ କରିଆସିଛି ।

ଅରୁଣାଚଳ ପ୍ରଦେଶରେ ଭାରତୀୟ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ଅନେକ ଥର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।