ଆଫଗାନିସ୍ତାନ ପ୍ରସଙ୍ଗରେ ଡୋଭାଲଙ୍କୁ ଭେଟିଲେ ସିଆଇଏ ମୁଖ୍ୟ ଓ ରୁଷ୍‌ର ଜାତୀୟ ସୁରକ୍ଷା ପରାମର୍ଶଦାତା | News Room Odisha

ଆଫଗାନିସ୍ତାନ ପ୍ରସଙ୍ଗରେ ଡୋଭାଲଙ୍କୁ ଭେଟିଲେ ସିଆଇଏ ମୁଖ୍ୟ ଓ ରୁଷ୍‌ର ଜାତୀୟ ସୁରକ୍ଷା ପରାମର୍ଶଦାତା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ନୂଆ ସରକାର ପରିପ୍ରେକ୍ଷୀରେ ଆମେରିକାର ଗୁଇନ୍ଦା ବିଭାଗ ‘ସିଆଇଏ’ ମୁଖ୍ୟ ବିଲ୍ ବର୍ନସ୍ ଭାରତ ଗସ୍ତରେ ଆସି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ମଙ୍ଗଳବାର ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡିଛି । ଏହି ବୈଠକରେ ମୁଖ୍ୟତଃ ପାକ୍ ପ୍ରାୟୋଜିତ ଆତଙ୍କବାଦ ଓ ଆଫଗାନିସ୍ତାନ ସଙ୍କଟ ଉପରେ ଆଲୋଚନା ହୋଇଥିଲା ।

ରୁଷ୍‌ର ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପାତ୍ରୁଶେଭ୍ ମଧ୍ୟ ଗତକାଲି ଦିଲ୍ଲୀରେ ଡୋଭାଲଙ୍କୁ ଭେଟି ଆଫଗାନିସ୍ତାନ ଉପରେ ଆଲୋଚନା କରିଛନ୍ତି । ସିଆଇଏ ମୁଖ୍ୟ ବର୍ନସ୍ ଆଜି ଯିବେ ।

ଦୁଇ ଦଶନ୍ଧି ପରେ ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତାକୁ ଫେରିବା ପରେ ଭାରତ ବିରୋଧରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଆଶଙ୍କା ରହିଛି । ତାଲିବାନ ସରକାରରେ ଜାତିସଂଘ ଦ୍ୱାରା ପ୍ରତିବନ୍ଧିତ ଆତଙ୍କବାଦୀଙ୍କୁ ସାମିଲ କରାଯାଇଥିବାରୁ ଭାରତ ଓ ଆମେରିକାର ଚିନ୍ତା ବଢ଼ିଯାଇଛି । ଏ ଦୃଷ୍ଟିରୁ ବର୍ନସ୍‌ଙ୍କ ଭାରତ ଗସ୍ତ ଗୁରୁତ୍ୱ ବହନ କରୁଛି ।

ଅନ୍ୟପଟେ ଆଫଗାନିସ୍ତାନରେ ପାକିସ୍ତାନର ହସ୍ତକ୍ଷେପକୁ ବିରୋଧ କରି ଗତକାଲି କାବୁଲର ବିିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତାଲିବାନର ନୂଆ ସରକାର ଗଠନରେ ପାକିସ୍ତାନର ଭୂମିକା ରହିଥିବା ଆଇଏସ୍‌ଆଇ ମୁଖ୍ୟ ଫୈଜ୍ ହମିଦଙ୍କ କାବୁଲ ଗସ୍ତରୁ ସ୍ପଷ୍ଟ ହୋଇଛି । ସରକାର ଗଠନରେ ତାଲିବାନ ମଧ୍ୟରେ ଅନ୍ତଃ କନ୍ଦଳର ସମାଧାନ ପାଇଁ ହମିଦ୍ କାବୁଲ ଯାଇଥିଲେ ବୋଲି ଜଣାପଡିଛି । ତାଲିବାନକୁ ପାକିସ୍ତାନର ସମର୍ଥନ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ।