ବିଦେଶୀ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର କରିବାର ଉଦ୍ଦେଶ୍ୟ ଦର୍ଶାଇବାକୁ ହକି ଇଣ୍ଡିଆକୁ କେନ୍ଦ୍ରୀୟ ସୂଚନା କମିଶନଙ୍କ ନିର୍ଦ୍ଦେଶ | News Room Odisha

ବିଦେଶୀ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର କରିବାର ଉଦ୍ଦେଶ୍ୟ ଦର୍ଶାଇବାକୁ ହକି ଇଣ୍ଡିଆକୁ କେନ୍ଦ୍ରୀୟ ସୂଚନା କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଦେଶୀ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରୁ ନଗଦ ଟଙ୍କା ଉଠାଇବାର ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ଦେବାକୁ କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ହକି ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ କେନ୍ଦ୍ରୀୟ ସୂଚନା କମିଶନର ଅମିତା ପାଣ୍ଡୋଭ କହିଛନ୍ତି, “ଆବେଦନକାରୀ ସାଧାରଣ ସୂଚନା ଚାହୁଁଛନ୍ତି। ତେଣୁ ଉତ୍ତରଦାତାଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ନିର୍ଦ୍ଦେଶରେ ସେ ହକି ଇଣ୍ଡିଆକୁ କେବଳ ବ୍ୟାଙ୍କ ଆକାଉଣ୍ଟରେ ଦସ୍ତଖତ କରିଥିବା ବ୍ୟକ୍ତିଙ୍କ ପଦବୀ ସମ୍ପର୍କରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଦେଶରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ଏବଂ ନଗଦ ଟଙ୍କା ଉଠାଣର ଏକମାତ୍ର ଉଦ୍ଦେଶ୍ୟ ଦର୍ଶାଇବାକୁ ହକି ଇଣ୍ଡିଆକୁ କୁହାଯାଇଛି।

ଏହାପୂର୍ବରୁ ‘ହକି ଇଣ୍ଡିଆ’ ବ୍ୟବସାୟିକ ଗୋପନୀୟତା ଦର୍ଶାଇ ଏହାକୁ ପ୍ରକାଶ କରିବାକୁ ମନା କରିଦେଇଥିଲା।

ଜଣାଶୁଣା ସୂଚନା ଅଧିକାର କର୍ମୀ ସୁଭାଷ ଅଗ୍ରୱାଲ ହକି ଇଣ୍ଡିଆର କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଅକ୍ଟୋବର ୨୦୧୯ରେ ୨୦ ପଏଣ୍ଟ ବିଶିଷ୍ଟ ଆରଟିଆଇ ଆବେଦନ କରିଥିଲେ |

ସେହି ଆବେଦନରେ, ବ୍ୟାଙ୍କ ଆକାଉଣ୍ଟରେ ଦସ୍ତଖତ କରିଥିବା ଅଧିକାରୀ ଏବଂ ସେମାନଙ୍କ ପଦବୀ ବିଷୟରେ ମଧ୍ୟ ସୂଚନା ମଗାଯାଇଥିଲା | ବିଦେଶୀ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ଏବଂ ହକି ଇଣ୍ଡିଆର ବ୍ୟାଙ୍କ ଆକାଉଣ୍ଟରୁ ନଗଦ ଟଙ୍କା ଉଠାଇବାର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ପଚରାଯାଇଥିଲା।

ତେବେ, ହକି ଇଣ୍ଡିଆ ଆରଟିଆଇ ଆଇନର ଧାରା ୮ (୧) (ଡି) ଦ୍ୱାହି ଦେଇ ସୂଚନା ଦେବାକୁ ମନା କରିଦେଇଥିଲା। ଏହା ପରେ ସୁଭାଷ ଅଗ୍ରୱାଲ କେନ୍ଦ୍ରୀୟ ସୂଚନା ଆୟୋଗରେ ହକି ଇଣ୍ଡିଆର ଏହି ଯୁକ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ସେ କହିଛନ୍ତି ଯେ ଗୋପନୀୟତା ପ୍ରସଙ୍ଗ ଏଠାରେ ଲାଗୁ ହେବ ନାହିଁ।