‘କଙ୍ଗାରୁ କୋର୍ଟ’ ଚଳାଉଥିବାରୁ ଗଣମାଧ୍ୟମ ଉପରେ ବର୍ଷିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ‘ମିଡ଼ଆ ଟ୍ରାଏଲ୍’ ନେଇ ବୈଦ୍ୟୁତିକ ଗଣମାଧ୍ୟମକୁ କଡ଼ା ସମାଲୋଚନା କରିଛନ୍ତି । ଗଣମାଧ୍ୟମର ଏପରି ପକ୍ଷପାତ ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ବିପଦ । ସତ୍ୟାସତ୍ୟ‌ ଯାଞ୍ଚ୍ ନକରି ଗଣମାଧ୍ୟମ ‘କଙ୍ଗାରୁ କୋର୍ଟ’ ଚଳାଉଛନ୍ତି । ଏହା ଦ୍ବାରା ଦେଶ ବହୁ ପଛକୁ ଚାଲିଯାଉଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ଉପରେ କୋର୍ଟଙ୍କ ଟିପ୍ପଣୀ ପରେ ଯେଭଳି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ସେନେଇ ଜଷ୍ଟିସ୍ ରମନ୍ନା କହିଛନ୍ତି ଯେ ବିଚାରପତିଙ୍କ ବିରୋଧରେ ସୋସିଆଲ ମିଡିଆରେ ସକ୍ରିୟ ଭାବେ ଅଭିଯାନ ଚାଲିଛି। ବିଚାରପତିମାନେ ଏନେଇ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ | କିନ୍ତୁ ଏହାକୁ ସେମାନଙ୍କ ଦୁର୍ବଳତା କିମ୍ବା ଅସହାୟତା ବୋଲି ଧରି ନିଆଯିବା ଭୁଲ୍ କରନ୍ତୁ ନାହିଁ ବୋଲି ଜଷ୍ଟିସ୍ ରମନ୍ନା ଚେତାବନୀ ଦେଇଛନ୍ତି |

ରାଞ୍ଚିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନ ବିଚାରପତି କହିଛନ୍ତି ଯେ ନୂଆ ମିଡିଆ ଟୁଲ୍ସରେ ବ୍ୟାପକ ସାମର୍ଥ୍ୟ ରହିଛି, କିନ୍ତୁ ସେମାନେ ଠିକ୍-ଭୁଲ, ଭଲ-ଖରାପ, ଅସଲି-ନକଲି ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କରିବାରେ ଅସମର୍ଥ।

“ମାମଲାର ଫଇସଲା କରିବାରେ ମିଡିଆ ଟ୍ରାଏଲ୍ ଏକ ମାର୍ଗଦର୍ଶକ ହୋଇପାରିବ ନାହିଁ। ବେଳେବେଳେ ଅଭିଜ୍ଞ ବିଚାରପତି ମାନଙ୍କୁ ମଧ୍ୟ ସଠିକ୍ ନିଷ୍ପତ୍ତି ନେବାରେ କଷ୍ଟକର ହୋଇପଡେ | କିନ୍ତୁ ଆମେ ଦେଖୁଛୁ ଯେ ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଳାଉଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି ଯେ ଭୁଲ ତଥ୍ୟ ଏବଂ ଏଜେଣ୍ଡା ଭିତ୍ତିକ ବିତର୍କ ଗଣତନ୍ତ୍ର ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଛି। ଗଣମାଧ୍ୟମ ଦ୍ୱାରା ପ୍ରସାରଣ କରାଯାଉଥିବା ପକ୍ଷପାତ ପୂର୍ଣ୍ଣ ବିଚାର ଗଣତନ୍ତ୍ରକୁ ଦୁର୍ବଳ କରିବା ସହ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରୁଛି ।

Comments are closed.