ନିଜ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ନାମ ସୁପାରିସ କଲେ ପ୍ରଧାନ ବିଚାରପତି ଜଷ୍ଟିସ ଲଲିତ | News Room Odisha

ନିଜ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ନାମ ସୁପାରିସ କଲେ ପ୍ରଧାନ ବିଚାରପତି ଜଷ୍ଟିସ ଲଲିତ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ ତଥା ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଲଳିତଙ୍କ ପରେ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ହେଉଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି । ଜଷ୍ଟିସ ଲଳିତ ନଭେମ୍ବର ୮ରେ ଅବସର ନେଉଛନ୍ତି। ସାଧାରଣତଃ ପ୍ରଧାନ ବିଚାରପତି ତାଙ୍କ ପରେ ସବୁଠୁ ବରିଷ୍ଠ ବିଚାରପତିଙ୍କୁ ଉତ୍ତରାଧିକାରୀ ଭାବେ ମନୋନୀତ କରନ୍ତି। ଏହି ପରମ୍ପରା ଅନୁଯାୟୀ ଜଷ୍ଟିସ ଚନ୍ଦ୍ରଚୂଡ ଦେଶର ୫୦ତମ ପ୍ରଧାନ ବିଚାରପତି ହୋଇପାରନ୍ତି। ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ଚନ୍ଦ୍ରଚୂଡ ଏହି ପଦରେ ଦୁଇ ବର୍ଷ ଅର୍ଥାତ ୨୦୨୪ ନଭେମ୍ବର ୧୦ ଯାଏଁ ରହିବେ ।

ନିକଟରେ ସରକାର ପ୍ରଧାନ ବିଚାରପତି ଜଷ୍ଟିସ ଲଲିତଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀ ମନୋନୀତ କରିବାକୁ କହିଥିଲେ।

ଜଷ୍ଟିସ ଚନ୍ଦ୍ରଚୂଡ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଯଶଓ୍ବନ୍ତ ବିଷ୍ଣୁ ଚନ୍ଦ୍ରଚୂଡଙ୍କ ପୁଅ। ସବୁଠାରୁ ଅଧିକ ଦିନ ଦେଶର ପ୍ରଧାନ ବିଚାରପତି ରହିବାରେ ଯଶଓ୍ବନ୍ତ ବିଷ୍ଣୁ ଚନ୍ଦ୍ରଚୂଡଙ୍କ ରେକର୍ଡ ରହିଛି। ସେ ୭ ବର୍ଷ ୪ ମାସ ଯାଏଁ ପ୍ରଧାନ ବିଚାରପତି ଥିଲେ।