ସ୍ବାଧୀନତାର ୭୫ ବର୍ଷ ପରେ ବି ଅଧିକାଂଶ ଲୋକ ନିଜ ସାମ୍ବିଧାନିକ ଅଧିକାର ବିଷୟରେ ସଚେତନ ନୁହଁନ୍ତି: ପ୍ରଧାନ ବିଚାରପତି | News Room Odisha

ସ୍ବାଧୀନତାର ୭୫ ବର୍ଷ ପରେ ବି ଅଧିକାଂଶ ଲୋକ ନିଜ ସାମ୍ବିଧାନିକ ଅଧିକାର ବିଷୟରେ ସଚେତନ ନୁହଁନ୍ତି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥା ଓ ନିଜ ଅଧିକାର ବିଷୟରେ ଖୁବ୍ କମ୍ ଲୋକ ଅବଗତ ଅଛନ୍ତି। ଏହା ଦୁର୍ଭାଗ୍ୟର ବିଷୟ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି ।

ଜନସାଧାରଣ ସେମାନଙ୍କ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ସଚେତନ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

‘ସୁପ୍ରିମକୋର୍ଟ କେସସ୍ (ଏସସିସି) ପ୍ରି -୧୯୬୯’ ର ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଷ୍ଟିସ୍ ରମନ୍ନା କହିଛନ୍ତି ଯେ ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ପାଇଁ । ତେଣୁ ବିଚାରପତିମାନେ ରାୟ ପ୍ରକାଶ ବେଳେ “ସରଳ” ଭାଷା ବ୍ୟବହାର କରିବା ଉଚିତ । ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଓ ରାୟ ଗୁଡ଼ିକୁ ଆଇନ ପତ୍ରିକାରେ ଆଞ୍ଚଳିକ ଭାଷାରେ ପ୍ରକାଶ କରାଯିବା ଆବଶ୍ୟକ ବୋଲି ଜଷ୍ଟିସ୍ ରମନ୍ନା କହିଛନ୍ତି।

ସେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶଗୁଡିକର ଜଣେ “ଛୋଟ ସ୍କୁଲ ପିଲା” ମଧ୍ୟ ନିଜ ସାମ୍ବିଧାନିକ ଅଧିକାର ଏବଂ ଆଇନ ବିଷୟରେ ସଚେତନ ଥାଏ ଏବଂ ଆମକୁ ମଧ୍ୟ ସେହି ପ୍ରକାର ସଂସ୍କୃତିର ଆବଶ୍ୟକତା ରହିଛି।

ଜଷ୍ଟିସ ରମନ୍ନା କହିଛନ୍ତି, ଆଇନଜୀବୀ ତଥା ଜନସାଧାରଣ ସାମ୍ବିଧାନିକ ବ୍ୟବସ୍ଥା ଏବଂ ସମ୍ବିଧାନ ବିଷୟରେ ଜାଣିବା ଉଚିତ୍। ଏହା ଦୁର୍ଭାଗ୍ୟଜନକ ଯେ ଆମେ ବର୍ତ୍ତମାନ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ, ତଥାପି ସହରାଞ୍ଚଳରେ କେବଳ କିଛି ଅଳ୍ପ ଲୋକ କିମ୍ବା ଆଇନ ପେଶାଦାର ହିଁ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ଏବଂ ସାମ୍ବିଧାନିକ ନୀତି ବିଷୟରେ ଅବଗତ ଅଛନ୍ତି।