ବହୁତ କମ୍ ଲୋକ କୋର୍ଟ ଯାଆନ୍ତି, ଅଧିକାଂଶ ଲୋକ ନୀରବରେ ଯନ୍ତ୍ରଣା ସହନ୍ତି: ପ୍ରଧାନ ବିଚାରପତି | News Room Odisha

ବହୁତ କମ୍ ଲୋକ କୋର୍ଟ ଯାଆନ୍ତି, ଅଧିକାଂଶ ଲୋକ ନୀରବରେ ଯନ୍ତ୍ରଣା ସହନ୍ତି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଦେଶରେ ନ୍ୟାୟିକ ବ୍ୟବସ୍ଥାର ଅବସ୍ଥା ଏବଂ ନ୍ୟାୟିକ ସେବା ପାଇବାରେ ସାଧାରଣ ଲୋକଙ୍କ ସମସ୍ୟା ଉପରେ ଆଲୋକପାତ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ଶନିବାର କହିଛନ୍ତି ଯେ ଜନସଂଖ୍ୟାର ବହୁତ କମ୍ ପ୍ରତିଶତ ଲୋକ କୋର୍ଟ ପହଞ୍ଚି ପାରୁଛନ୍ତି। ସଚେତନତା ଏବଂ ଆବଶ୍ୟକ ମାଧ୍ୟମ ଅଭାବରୁ ଅଧିକାଂଶ ଲୋକ ନୀରବରେ ଯନ୍ତ୍ରଣା ସହିଥାନ୍ତି । ଜଷ୍ଟିସ୍ ରମନ୍ନା ସର୍ବଭାରତୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରଥମ ବୈଠକ ଅବସରରେ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ, ଲୋକଙ୍କୁ ସକ୍ଷମ କରିବାରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ନ୍ୟାୟ ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଆଧୁନିକ ବୈଷୟିକ ଉପକରଣ ଆପଣାଇବାକୁ ସେ ନ୍ୟାୟପାଳିକାକୁ ଅନୁରୋଧ କରିଛନ୍ତି।

ଜଷ୍ଟିସ୍ ରମନ୍ନା କହିଛନ୍ତି ଯେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତକ ନ୍ୟାୟର ଏହି ପ୍ରତିଶ୍ରୁତି ଆମ ସମ୍ବିଧାନର ପ୍ରସ୍ତାବନା ଦ୍ଵାରା ପ୍ରତ୍ୟେକ ଭାରତୀୟଙ୍କୁ ଦିଆଯାଇଛି। କିନ୍ତୁ ବାସ୍ତବତା ହେଉଛି ଯେ ଆଜି ଆମ ଜନସଂଖ୍ୟାର କେବଳ ଅଳ୍ପ ପ୍ରତିଶତ ଲୋକ ଆବଶ୍ୟକ ସମୟରେ ନ୍ୟାୟିକ ବ୍ୟବସ୍ଥାରେ ପ୍ରବେଶ କରିପାରୁଛନ୍ତି | ସଚେତନତା ଏବଂ ଆବଶ୍ୟକ ସାଧନ ଅଭାବରୁ ଅଧିକାଂଶ ଲୋକ ନୀରବରେ ଯନ୍ତ୍ରଣା ଭୋଗୁଛନ୍ତି |

ସେ କହିଛନ୍ତି ଯେ ସମାଜରେ ଅସମାନତା ହଟାଇବା ଲକ୍ଷ୍ୟରେ ଆଧୁନିକ ଭାରତ ନିର୍ମାଣ କରାଯାଇଛି। ଗଣତନ୍ତ୍ରର ଅର୍ଥ ହେଉଛି ସମସ୍ତଙ୍କର ଅଂଶଗ୍ରହଣ ପାଇଁ ସ୍ଥାନ ଯୋଗାଇବା | ସାମାଜିକ ଉଦ୍ଧାର ବିନା ଏହି ଅଂଶଗ୍ରହଣ ସମ୍ଭବ ନୁହେଁ | ନ୍ୟାୟ ପାଇବା ହେଉଛି ସାମାଜିକ ଉଦ୍ଧାରର ଏକ ମାଧ୍ୟମ |

ସର୍ବଭାରତୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାୟପାଳିକାକୁ ବିଭିନ୍ନ ଜେଲରେ ରହିଥିବା ବନ୍ଦୀମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି।