ରାଜନୈତିକ ବିରୋଧ ଶତ୍ରୁତାରେ ପରିଣତ ହେବା ସୁସ୍ଥ ଗଣତନ୍ତ୍ରର ସଙ୍କେତ ନୁହେଁ: ପ୍ରଧାନ ବିଚାରପତି | News Room Odisha

ରାଜନୈତିକ ବିରୋଧ ଶତ୍ରୁତାରେ ପରିଣତ ହେବା ସୁସ୍ଥ ଗଣତନ୍ତ୍ରର ସଙ୍କେତ ନୁହେଁ: ପ୍ରଧାନ ବିଚାରପତି

ଜୟପୁର: ପ୍ରଧାନ ବିଚାରପତି ଏନଭି ରମନ୍ନା ଭାରତର ସଂସଦୀୟ ଗଣତନ୍ତ୍ରର ସାମ୍ପ୍ରତିକ ସ୍ଥିତି ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ରାଜନୈତିକ ବିରୋଧୀଙ୍କୁ ‘ଶତ୍ରୁ’ ଭାବରେ ବିବେଚନା କରିବା ଏକ ସୁସ୍ଥ ଗଣତନ୍ତ୍ରର ସଙ୍କେତ ନୁହେଁ। ଜୟପୁରରେ ଅନୁଷ୍ଠିତ ୧୮ତମ ସର୍ବଭାରତୀୟ ଆଇନ ସେବା ପ୍ରାଧିକରଣର ଉଦ୍‌ଘାଟନୀ ଉତ୍ସବ ଅବସରରେ ଜଷ୍ଟିସ ରମନ୍ନା ଏହି କଥା କହିଛନ୍ତି ।

ସେ କହିଛନ୍ତି ଯେ ଆମକୁ ମନେ ରଖିବା ଉଚିତ ଭାରତର ନିର୍ମାଣ ସଂସଦୀୟ ସରକାର ପାଇଁ ନୁହେଁ ବରଂ ସଂସଦୀୟ ଗଣତନ୍ତ୍ର ପାଇଁ ହୋଇଥିଲା । ପ୍ରତିନିଧିତ୍ୱ ହେଉଛି ଗଣତନ୍ତ୍ରର ମୌଳିକ ବିଚାରଧାରା |

“ଏକ ଆଧୁନିକ ଗଣତନ୍ତ୍ରରେ ଲୋକମାନେ ଆଶା କରନ୍ତି ଯେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର କ୍ଷମତା ବହିର୍ଭୁତ କାର୍ଯ୍ୟ ବିରୁଦ୍ଧରେ କୋର୍ଟ ଠିଆ ହେବେ। କିନ୍ତୁ ବିରୋଧୀଙ୍କ ଅନୁପସ୍ଥିତିରେ ଏହି କଥା ଆହୁରି ଗମ୍ଭୀର ହୋଇଯାଏ ।

“ମତ ଭିନ୍ନତା ରାଜନୀତି ଏବଂ ସମାଜକୁ ସମୃଦ୍ଧ କରିଥାଏ। ପୂର୍ବରୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ରହୁଥିଲା । ଆଜି ତାହା ହ୍ରାସ ପାଇବାରେ ଲାଗିଛି । ରାଜନୈତିକ ବିରୋଧ ଶତ୍ରୁତାରେ ପରିଣତ ହେଉଛି । ଦୁଃଖର ବିଷୟ ଆମେ ଆଜିର ଦିନରେ ଯାହା ଦେଖୁଛୁ ତାହା ଏକ ସୁସ୍ଥ ଗଣତନ୍ତ୍ରର ସଙ୍କେତ ନୁହେଁ |

ସଂସଦୀୟ ଗଣତନ୍ତ୍ରକୁ ମଜବୁତ୍ କରିବା ପାଇଁ ଏକ ଶକ୍ତିଶାଳୀ ବିରୋଧୀଙ୍କ ଆବଶ୍ୟକତା ରହିଛି। ଦୁର୍ଭାଗ୍ୟବଶତଃ ବିରୋଧୀଙ୍କ ପାଇଁ ସ୍ଥାନ ଆଜି କମିବାରେ ଲାଗିଛି । ଆମେ ଦେଖୁଛୁ ଯେ ବିଚାର ବିମର୍ଶ ଏବଂ ଯାଞ୍ଚ୍ ବିନା ଆଇନ ପ୍ରଣୟନ କରାଯାଉଛି | ସଂସଦୀୟ ଗଣତନ୍ତ୍ର ପାଇଁ ଏ‌ହା ଶୁଭଙ୍କର ନୁହେଁ।