ସବୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏକକ ଏଣ୍ଟ୍ରାନ୍ସ ଟେଷ୍ଟ | News Room Odisha

ସବୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ ଏକକ ଏଣ୍ଟ୍ରାନ୍ସ ଟେଷ୍ଟ

ନୂଆଦିଲ୍ଲୀ: ଚଳିତ ଶିକ୍ଷାବର୍ଷ ଠାରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ନାତକ ପାଠ୍ୟକ୍ରମରେ ଆଡ଼ମିଶନ ଦ୍ବାଦଶ ଶ୍ରେଣୀ ମାର୍କ ପରିବର୍ତ୍ତେ ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ବା କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (CUET) ମାଧ୍ୟମରେ ହେବ । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର ଏହି ସୂଚନା ଦେଇଛନ୍ତି।

ଜୁଲାଇ ପ୍ରଥମ ସପ୍ତାହରେ CUET ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଏ ସମ୍ବନ୍ଧରେ ପ୍ରକାଶିତ ଏକ ସରକାରୀ ବିଜ୍ଞପ୍ତିରେ ୟୁଜିସି କହିଛି ଯେ ସ୍ନାତକୋତ୍ତର CUET ପାଇଁ ଆବେଦନ ପ୍ରକ୍ରିୟା ଏପ୍ରିଲ୍ ପ୍ରଥମ ସପ୍ତାହରୁ ଆରମ୍ଭ ହେବ |

୨୦୨୨-୨୩ ଶିକ୍ଷାବର୍ଷରୁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସ୍ନାତକ ଏବଂ ସ୍ନାତକୋତ୍ତର କାର୍ଯ୍ୟକ୍ରମ ପାଇଁ CUET ପରିଚାଳନା କରିବ | ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ ପାଠ୍ୟକ୍ରମରେ ଆଡମିଶନ ପାଇଁ CUET ସ୍କୋର ବିଚାରକୁ ନେବାକୁ ପଡ଼ିବ ବୋଲି କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଦେଶରେ ୟୁଜିସି ଦ୍ୱାରା ଅନୁଦାନ ପ୍ରାପ୍ତ ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଛି । ତନ୍ମଧ୍ୟରୁ କିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ନିଜସ୍ଵ ଏଣ୍ଟ୍ରାନ୍ସ ଟେଷ୍ଟ କରୁଛନ୍ତି ।

ଏନସିଇଆରଟି ର ଦ୍ବାଦଶ ଶ୍ରେଣୀ ସିଲାବସ୍ ମଡେଲରେ CUETର ସିଲାବସ୍ ପ୍ରସ୍ତୁତ ହେବ ବୋଲି କୁମାର କହିଛନ୍ତି | CUET ରେ ସେକ୍ସନ୍ ୧-ଏ, ସେକ୍ସନ୍ ୧-ବି, ଜେନେରାଲ ଟେଷ୍ଟ ଏବଂ ଡୋମେନ୍ ନିର୍ଦ୍ଦିଷ୍ଟ ବିଷୟ ରହିବ |

ସେକ୍ସନ ୧-ଏ, ଯାହା ବାଧ୍ୟତାମୂଳକ ହେବ ୧୩ଟି ଭାଷାରେ ରହିବ ଏବଂ ପ୍ରାର୍ଥୀମାନେ ନିଜ ପସନ୍ଦର ଭାଷା ବାଛିପାରିବେ |

ବିକଳ୍ପଗୁଡ଼ିକ ହେଉଛି ଇଂରାଜୀ, ହିନ୍ଦୀ, ଅହମିୟା ବଙ୍ଗାଳୀ, ଗୁଜରାଟୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ |

ସେକ୍ସନ୍ ୧-ଏ’ ପାଇଁ ଦିଆଯାଇଥିବା ଭାଷା ବ୍ୟତୀତ ଯେଉଁ ଛାତ୍ରମାନେ ଅନ୍ୟ ଭାଷାରେ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସେକ୍ସନ୍ ୧-ବି ଇଚ୍ଛାଧୀନ ହେବ ।