ନ୍ୟୁଡ୍ ଫଟୋସୁଟ୍ ପାଇଁ ଅଡ଼ୁଆରେ ରଣବୀର, ମୁମ୍ବାଇରେ ମାମଲା ରୁଜୁ | News Room Odisha

ନ୍ୟୁଡ୍ ଫଟୋସୁଟ୍ ପାଇଁ ଅଡ଼ୁଆରେ ରଣବୀର, ମୁମ୍ବାଇରେ ମାମଲା ରୁଜୁ

ମୁମ୍ବାଇ: ଆମେରିକାର ଏକ ମାଗାଜିନ୍ ‘ପେପର’ ପାଇଁ ନ୍ୟୁଡ୍ ଫଟୋସୁଟ କରିଥିବା ବଲିଉଡ ଅଭିନେତା ରଣବୀର ସିଂ ଅଡ଼ୁଆ ବଢ଼ିପାରେ । ତାଙ୍କର ଏହି ନ୍ଯୁଡ୍ ଫଟୋସୁଟ୍ ବିରୋଧରେ ମୁମ୍ବାଇର କେମ୍ବୁର ପୋଲିସ ଥାନାରେ ଅଭିଯୋଗ ହୋଇଛି। ବେଦିକା ଚୌବେ ନାମକ ଜଣେ ଓକିଲ ତଥା ସାମ୍ବାଦିକା ରଣବୀରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ବେଦିକା ତାଙ୍କ ଅଭିଯୋଗରେ କହିଛନ୍ତି, ଗତ ସପ୍ତାହରେ ମୁଁ ରଣବୀର ସିଂଙ୍କ ନ୍ୟୁଡ୍ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିଲି । ଏହି ଫଟୋ ଗୁଡ଼ିକ ଏପରି ଭାବରେ ନିଆଯାଇଛି ଯେ ଏଥିରେ ଯେକୌଣସି ମହିଳା ଓ ପୁରୁଷ ଲଜ୍ଜିତ ହୋଇଯିବେ।

“ଏବଂ ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲି ଯେ ସେ ଏହି ଫଟୋ ଗୁଡ଼ିକ ନିଜ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି । ଏଥିରୁ ଜଣାପଡ଼ୁଛି ତାଙ୍କର ଭାରତୀୟ ସଂସ୍କୃତି ସହିତ କୌଣସି ସମ୍ପର୍କ ନାହିଁ।ରଣବୀର ତାଙ୍କର ଏହି ନ୍ୟୁଡ୍ ଫଟୋ ସେୟାର କରି ମହିଳାମାନଙ୍କ ଭାବନାକୁ ଆଘାତ ଦେଇଛନ୍ତି ।”

ସେ ଏହା ମଧ୍ୟ ଲେଖିଛନ୍ତି ଯେ ମୋ ଘରେ ମୋର ଦୁଇଟି ଝିଅ ଏବଂ ଅନ୍ୟ ଚାରି ଝିଅ ବି ଅଛନ୍ତି, ଯାହାକୁ ମୁଁ ସୋସିଆଲ ମିଡିଆ ଏବଂ ଗୁଗୁଲ୍ ନ୍ୟୁଜ୍ ଖୋଲିବାକୁ ବାରଣ କରିଥିଲି।

ଆଇପିସିର ଦଫା ୩୫୪ ଏବଂ ୫୦୯ ଅନୁଯାୟୀ ଏହି ମାମଲାରେ ରଣବୀର ସିଂଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସେ ପୋଲିସକୁ ଅନୁରୋଧ କରିଛନ୍ତି।

ଏହାପୂର୍ବରୁ ଯେତେବେଳେ ରଣବୀରଙ୍କ ନ୍ୟୁଡ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ସେତେବେଳେ କିଛି ଲୋକ ଏହାକୁ ବିରୋଧ କରିଥିବା ବେଳେ ଆଉ କିଛି ସମର୍ଥନ କରିଥିଲେ।