ମୋଦି ସରକାରଙ୍କ ଆଠ ବର୍ଷ ପରେ ମଧ୍ୟ ଲୋକେ 'ଅଚ୍ଛେ ଦିନ' ଅପେକ୍ଷାରେ: କଂଗ୍ରେସ | News Room Odisha

ମୋଦି ସରକାରଙ୍କ ଆଠ ବର୍ଷ ପରେ ମଧ୍ୟ ଲୋକେ ‘ଅଚ୍ଛେ ଦିନ’ ଅପେକ୍ଷାରେ: କଂଗ୍ରେସ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ରର ବିଜେପି ସରକାର ଲୋକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ମୋଦି ସରକାର ଆଠ ବର୍ଷ ପୂର୍ତ୍ତି କରିଥିବା ବେଳେ କଂଗ୍ରେସ କେନ୍ଦ୍ରର ବିଫଳତା ନେଇ ‘ଆଠ୍ ସାଲ୍, ଆଠ୍ ଛଲ୍, ଭାଜପା ସରକାର ବିଫଲ୍’ ଶୀର୍ଷକ ଏକ ରିପୋର୍ଟ କାର୍ଡ ମଧ୍ୟ ପ୍ରକାଶ କରିଛି। ଏଥିରେ ମୋଦି ସରକାରଙ୍କ ୮ ବର୍ଷ କାର୍ଯ୍ୟକାଳରେ ଦେଶ କିପରି ରେକର୍ଡ ମୁଦ୍ରାସ୍ଫୀତି, ବେକାରୀ, ଅର୍ଥନୈତିକ ଅବ୍ୟବସ୍ଥା ଓ ଜାତୀୟ ସୁରକ୍ଷା ଭଳି ସମସ୍ୟାର ସମ୍ମୁଖୀନ ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଠ ବର୍ଷ ଧରି ଲୋକେ “ଅଚ୍ଛେ ଦିନ’କୁ ଅପେକ୍ଷା କରିଛନ୍ତି। ଏହାର କୌଣସି ଚିହ୍ନବର୍ଣ୍ଣ ନାହିଁ ବୋଲି କଂଗ୍ରେସ କହିଛି ।

ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ମୋଦି ସରକାର ‘ଅଚ୍ଛେ ଦିନ୍ ଆସିବ’ ସ୍ଲୋଗାନ ସହ କ୍ଷମତାକୁ ଆସିଥିଲେ । କିନ୍ତୁ ମୋଦି ତାଙ୍କ ସହ ମହଙ୍ଗା ଦିନ ନେଇକି ଆସିଲେ ‌। କୃଷକଙ୍କ ଆୟ ଦୁଇଗୁଣ ହେବା ଦୂରର କଥା ଓଲଟି ସେମାନଙ୍କ ଯନ୍ତ୍ରଣା ଶହେ ଗୁଣ ବଢ଼ିଛି।

ସୁରଜେୱାଲା କହିଛନ୍ତି, “ମୋଦି କ୍ଷମତାକୁ ଆସିବା ସହ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହୋଇଗଲା । ‘ଅଛେ ଦିନ’ର ଫ୍ଲପ୍ ଫିଲ୍ମ ପ୍ରଦର୍ଶନ ବନ୍ଦ ହୋଇଯାଇଛି ।”

ସରକାର ଏବେ ନିଜ ବିଫଳତାଠାରୁ ଧ୍ୟାନ ହଟାଇବା ପାଇଁ ପ୍ରତାରଣା, ମିଥ୍ୟା ଏବଂ ଘୃଣାର ସହାୟତା ନେଉଛନ୍ତି ବୋଲି ସୁରଜୱାଲା ଅଭିଯୋଗ କରିଛନ୍ତି ।

କଂଗ୍ରେସର ସାଧାରଣ ସମ୍ପାଦକ ଅଜୟ ମାକେନ୍ କହିଛନ୍ତି ଯେ ‘ଅଚ୍ଛେ ଦିନ’ର ପ୍ରତିଶ୍ରୁତି ଦେଇଥିବା ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଏଲପିଜି ସିଲିଣ୍ଡର ଦର ୧୦୦୦ ରୁ ଅଧିକ ଏବଂ ସୋରିଷ ତେଲ ୨୦୦ ଟପିଛି ।