'ଗୋମୂତ୍ର ପିଇନାହଁ କି?', କରୋନା ସଂକ୍ରମିତ ପ୍ରଜ୍ଞା ସିଂହ ଠାକୁରଙ୍କୁ କଂଗ୍ରେସର କଟାକ୍ଷ | News Room Odisha

‘ଗୋମୂତ୍ର ପିଇନାହଁ କି?’, କରୋନା ସଂକ୍ରମିତ ପ୍ରଜ୍ଞା ସିଂହ ଠାକୁରଙ୍କୁ କଂଗ୍ରେସର କଟାକ୍ଷ

ଭୋପାଳ: ବିବାଦୀୟ ବିଜେପି ସାଂସଦ ସାଧବୀ ପ୍ରଜ୍ଞା ସିଂହ ଠାକୁର କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜର କରୋନା ପରୀକ୍ଷା କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି |

ଅନ୍ୟପକ୍ଷେ ପ୍ରଜ୍ଞାଙ୍କୁ କରୋନା ହେବା ନେଇ କଂଗ୍ରେସ ତାଙ୍କୁ ତାତ୍ସଲ୍ୟ କରିବାକୁ ପଛାଇ ନାହିଁ। ମଧ୍ୟପ୍ରଦେଶ କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା ଟ୍ୱିଟ କରି ପ୍ରଜ୍ଞାଙ୍କୁ କଟାକ୍ଷ କରିଛନ୍ତି । କରୋନାରୁ ରକ୍ଷା ପାଇବା ପାଇଁ ପ୍ରଜ୍ଞା ଯେଉଁ ପ୍ରତିଷେଧ ମୂଳକ ଉପଚାର ସମ୍ପର୍କରେ ଅନ୍ୟମାନଙ୍କୁ କହୁଥିଲେ ତାହା ସେ ନିଜ ଉପରେ ପ୍ରୟୋଗ କରି ନାହାଁନ୍ତି କି ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି ।

ସାଲୁଜା ନିଜ ଟ୍ବିଟରେ କହିଛନ୍ତି, ” ଗୋମୁତ୍ର ପିଇବାକୁ ଏବଂ ଦିନକୁ ପାଞ୍ଚଥର ହନୁମାନ ଚାଳିସା ପାଠ କରିବାକୁ କହୁଥିବା ତଥା ମଦକୁ ଔଷଧ କହି ତା’ର ପରିମାଣ ସମ୍ପର୍କରେ ପରାମର୍ଶ ଦେଉଥିବା ଭୋପାଳ ସାଂସଦ (ପ୍ରଜ୍ଞା)ଙ୍କୁ କରୋନା ହୋଇଥିବା ଖବର ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ? ଭଗବାନ ତାଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ | ଏଥିରୁ ଜଣାପଡୁଛି ଯେ ସେ ଯେଉଁ ପ୍ରତିଷେଧ‌ମୂଳକ ଉପଚାର ସଂପର୍କରେ ପରାମର୍ଶ ଦେଉଥିଲେ ତାକୁ ସେ ନିଜେ ବ୍ୟବହାର କରିନାହାଁନ୍ତି |

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ସାଧବୀ ପ୍ରଜ୍ଞା ସିଂହ ଗାମୂତ୍ର ଦ୍ବାରା କରୋନା ଠିକ୍ ହେଉଥିବା ଦାବି କରିଥିଲେ। ସେ କହିଥିଲେ ଯେ ଗୋମୂତ୍ର ଏକ ସର୍ବୌଷଧୀ ଓ ଏହା ମାରାତ୍ମକ ରୋଗ ବିରୋଧରେ ଏକ ରକ୍ଷା କବଚ ।ସେ ନିୟମିତ ଗୋମୂତ୍ର ପାନ‌କରି କ୍ୟାନ଼ସରରୁ ସୁସ୍ଥ ହୋଇଥିବା ପ୍ରଜ୍ଞା ଦାବି କରିଥିଲେ ।