ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି, କଂଗ୍ରେସର ୯ଟି ପ୍ରଶ୍ନ | News Room Odisha

ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି, କଂଗ୍ରେସର ୯ଟି ପ୍ରଶ୍ନ

ନୂଆଦିଲ୍ଲୀ: ମୋଦୀ ସରକାର ଶାସନର ୯ ବର୍ଷ ପୂରଣ ହୋଇଛି । ବିଜେପି ଏହି ୯ ବର୍ଷରେ ମୋଦୀ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଜୋରସୋର୍ ପ୍ରଚାର କରୁଥିବା ବେଳେ ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ। ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ସିରିଜ୍ ଟ୍ୱିଟ୍ କରି କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୯ଟି ପ୍ରଶ୍ନ ପଚାରିଛି। ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ନେଇ କଂଗ୍ରେସ କଟାକ୍ଷ କରିବା ସହ ଅନେକ ପ୍ରଶ୍ନ ଉଠାଇଛି ।

ମୋଦୀ ସରକାରଙ୍କ ଗତ ୯ ବର୍ଷର ଶାସନ ବିଫଳତାର ବର୍ଷ ବୋଲି କହିଛି କଂଗ୍ରେସ । ଦଳ କହିଛି ଯେ ଏହା ଦେଶ ପାଇଁ ୯ ବର୍ଷର ଦୁଃଖ। ଗତ ୯ ବର୍ଷ ମଧ୍ୟରେ ସମ୍ବିଧାନ, ଗଣତନ୍ତ୍ର, କୃଷକ, କୁସ୍ତିଯୋଦ୍ଧାଙ୍କ ସମେତ ଦେଶର ଏମିତି କୌଣସି ବର୍ଗ ନାହାଁନ୍ତି ଯାହା ମୋଦୀଙ୍କ ଆକ୍ରମଣରୁ ବର୍ତ୍ତି ଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ଅନେକ ଦଶନ୍ଧି ପଛକୁ ନେଇ ଯାଇଛନ୍ତି।

କଂଗ୍ରେସ ଟ୍ବିଟ୍ କରି କହିଛି, “ମୋଦୀ ସରକାର ୯ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ପିଏମ ମୋଦୀଙ୍କୁ ଆମର ୯ଟି ପ୍ରଶ୍ନ ଅଛି। ପ୍ରଧାନମନ୍ତ୍ରୀ ମୋଦୀ ନୀରବତା ଭାଙ୍ଗନ୍ତୁ ଓ ଜବାବ ଦିଅନ୍ତୁ | ଗତ ୯ ବର୍ଷ ମଧ୍ୟରେ କୋଟି କୋଟି ଯୁବକଙ୍କ ରୋଜଗାର ଛଡ଼ାଇ ନେବାରେ ମୋଦୀ ସରକାର ବିଶ୍ୱଗୁରୁ ହୋଇଛନ୍ତି।

କଂଗ୍ରେସ ପଚାରିଛି, ଦେଶରେ ଦରଦାମ ଓ ବେକାରୀ କାହିଁକି ବୃଦ୍ଧି ପାଉଛି? ରାଷ୍ଟ୍ରାୟତ୍ତ କମ୍ପାନୀ ଗୁଡ଼ିକୁ କାହିଁକି ମୋଦୀଙ୍କ ଘନିଷ୍ଠ ବନ୍ଧୁଙ୍କୁ ବିକ୍ରି କରାଯାଉଛି ? ଏସସି,ଏସଟି, ଦଳିତଙ୍କ ଉପରେ କାହିଁକି ନିର୍ଯାତନା ବୃଦ୍ଧି ପାଇଛି ?

ପରବର୍ତ୍ତୀ ପ୍ରଶ୍ନରେ ଦଳ ପଚାରିଛି – ଗତ ୯ ବର୍ଷ ମଧ୍ୟରେ କୃଷକଙ୍କ ଆୟ କାହିଁକି ଦ୍ୱିଗୁଣିତ ହୋଇ ନାହିଁ ? କ’ଣ ଏମିତି ବାଧ୍ୟବାଧକତା ଥିଲା ଯେ ଏଲଆଇସି ଓ ଏସବିଆଇରେ ଥିବା ଲୋକଙ୍କ ଝାଳବୁହା ଟଙ୍କା ଆଦାନୀ ଗ୍ରୁପରେ ନିବେଶ କରାଗଲା ?

କଂଗ୍ରେସର ଆଉ ଏକ ପ୍ରଶ୍ନ ହେଲା, ଚୀନ୍‌କୁ ନାଲି ଆଖି ଦେଖାଇବା କଥା କହୁଥିବା ପ୍ରଧାନମନ୍ତ୍ରୀ ୨୦୨୦ରେ କାହିଁକି ସେହି ଦେଶକୁ କ୍ଲିନ୍ ଚିଟ୍ ଦେଇଥିଲେ ? କ୍ଲିନ୍ ଚିଟ୍ ସତ୍ତ୍ୱେ କାହିଁକି ସେହି ଦେଶ ଆମର ଅନେକ ଅଞ୍ଚଳ ନିଜ ଦଖଲକୁ ନେଇଛି ? ଏହା ପରବର୍ତ୍ତୀ ପ୍ରଶ୍ନରେ କଂଗ୍ରେସ ପଚାରିଛି, ନିର୍ବାଚନ ଫାଇଦା ପାଇଁ କାହିଁକି ବିଭାଜନକାରୀ ରାଜନୀତିକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ସମାଜରେ କାହିଁକି ଭୟର ବାତାବରଣ ସୃଷ୍ଟି କରାଯାଉଛି ?’

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୋଦୀ ସରକାରଙ୍କୁ ଆମର ଏହି ୯ଟି ପ୍ରଶ୍ନ ଏକ ପୁସ୍ତିକା ଆକାରରେ ପ୍ରକାଶ କରାଯିବ ।