ଆଦାନୀ ମାମଲାରେ ପୁଣି ଜେପିସି ତଦନ୍ତ ଦାବି ଉଠାଇଲା କଂଗ୍ରେସ | News Room Odisha

ଆଦାନୀ ମାମଲାରେ ପୁଣି ଜେପିସି ତଦନ୍ତ ଦାବି ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ପୁଣି ଥରେ ଆଦାନୀ ଗ୍ରୁପ୍ ବିରୋଧରେ ଅଭିଯୋଗର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରିବାକୁ ଦାବି କରିଛି । କଂଗ୍ରେସ କହିଛି ଯେ ଯଦି ସରକାରଙ୍କର କିଛି ଲୁଚାଇବାର ନାହିଁ, ତେବେ ଜେପିସି ଗଠନ ଘୋଷଣା ସହ ସଂସଦର ନୂଆ କୋଠାରେ କାମ ଆରମ୍ଭ ହେବା ଉଚିତ୍ |

ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଏକ ଗଣମାଧ୍ୟମ ରିପୋର୍ଟର ଉଲ୍ଲେଖ କରି କହିଛନ୍ତି, ଆଦାନୀ ଗ୍ରୁପ୍‌ର ଜଣେ ପୂର୍ବତନ କଣ୍ଟ୍ରାକ୍ଟର ଏହି ଗ୍ରୁପ ସହ ଜଡ଼ିତ ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ କମ୍ପାନୀ ‘ହିଣ୍ଡେନବର୍ଗ ରିସର୍ଚ୍ଚ’ ଅନିୟମିତତା ଏବଂ ଷ୍ଟକ୍ ମୂଲ୍ୟରେ ହେରଫେର ଅଭିଯୋଗ ଆଣିବା ପରେ କଂଗ୍ରେସ ଏହି ବ୍ୟବସାୟୀ ଗୋଷ୍ଠୀ ଉପରେ କ୍ରମାଗତ ଆକ୍ରମଣ କରିବା ସହ ଜେପିସି ତଦନ୍ତ ଦାବି କରିଆସିଛି। ଆଦାନୀ ଗ୍ରୁପ୍ ହିଣ୍ଡେନବର୍ଗ ରିପୋର୍ଟରେ ହୋଇଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛି ।

ରମେଶ ବୁଧବାର ଏକ୍ସରେ ପୋଷ୍ଟ କରି କହିଛନ୍ତି, କିଛି ଦିନ ପୂର୍ବେ ଆଦାନୀ ମେଗା ସ୍କାମର ସଠିକ୍ ଯାଞ୍ଚ କରିବାରେ ସେବିର ବିଫଳତା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଏବେ ଆଦାନୀ ସହ ଜଡିତ ଜଣେ ପୂର୍ବତନ କଣ୍ଟ୍ରାକ୍ଟର କୋଟି କୋଟି ନିବେଶକଙ୍କ ସ୍ୱାର୍ଥରେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁରୋଧ କରିଛନ୍ତି। ଏହି କଣ୍ଟ୍ରାକ୍ଟର ଜଣକ କହିଛନ୍ତି ଯେ ତାଙ୍କ ପାଖରେ ଆଦାନୀ ଗ୍ରୁପ୍ ବିରୋଧରେ ଗୁରୁତ୍ବପୂର୍ଣ୍ଣ ସୂଚନା ଅଛି। ”

ଏସବୁ ଜେପିସି ଦ୍ୱାରା ତଦନ୍ତର ଯଥାର୍ଥତା ସାବ୍ୟସ୍ତ କରୁଛି । ଯଦି ପ୍ରକୃତରେ ପ୍ରଧାନମନ୍ତ୍ରୀଙ୍କର କିଛି ଲୁଚାଇବାର ନାହିଁ, ତେବେ ଜେପିସି ଘୋଷଣା ସହିତ ନୂଆ ସଂସଦ ଭବନରେ କାମ ଆରମ୍ଭ ହୋଇପାରିବ। ”