ଲକ୍ଷୀମପୁର ହିଂସା ନେଇ ଏସ୍ଆଇଟି ଖୁଲାସା ପରେ ସଂସଦରେ ହଙ୍ଗାମା, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି କଲା କଂଗ୍ରେସ | News Room Odisha

ଲକ୍ଷୀମପୁର ହିଂସା ନେଇ ଏସ୍ଆଇଟି ଖୁଲାସା ପରେ ସଂସଦରେ ହଙ୍ଗାମା, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ଲକ୍ଷୀମପୁର ହିଂସା ମାମଲାରେ ଏସ୍ଆଇଟି ରିପୋର୍ଟକୁ ନେଇ ସଂସଦରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଏହି ପ୍ରସଙ୍ଗରେ କଂଗ୍ରେସ ଲୋକସଭାରେ ଏକ ମୁଲତବୀ ପ୍ରସ୍ତାବ ଆଣିଛି ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ଟେନିଙ୍କୁ ହଟାଇବାକୁ କଂଗ୍ରେସ ଦାବି କରିଛି।

ଲକ୍ଷୀମପୁର ହିଂସା ମାମଲାରେ ଆଲୋଚନା ପାଇଁ ରାହୁଲ ଗାନ୍ଧୀ ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଲକ୍ଷ୍ମୀପୁର ଖେରୀ ଘଟଣାର ଅଜୟ କୁମାର ମିଶ୍ରଙ୍କ ପୁଅ ହିଁ ଦୋଷୀ ।

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଏସ୍ଆଇଟିର ଖୁଲାସା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ସରକାର ହଟାଇବା ଉଚିତ। ସେ ଆହୁରି କହିଛନ୍ତି ଯେ ଯଦି ଗଙ୍ଗା ମାତା ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କର ଭକ୍ତିଭାବ ରହିଛି, ତେବେ ସେ ଅଜୟ କୁମାର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହନ୍ତୁ କିମ୍ବା ନିଜେ ନିଷ୍ପତ୍ତି ନିଅନ୍ତୁ ଏବଂ ତାଙ୍କୁ ହଟାନ୍ତୁ।

ଚୌଧୁରୀ କହିଛନ୍ତି, ଯେ ପିଏମ ମୋଦି ଏହି ସମୟରେ ତାଙ୍କ ଛବି ସୁଧାରିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେ ଅଜୟ କୁମାର ମିଶ୍ରଙ୍କୁ ହଟାଇ ତାଙ୍କ ଭାବମୂର୍ତ୍ତିକୁ ଆହୁରି ସୁଧାରି ପାରିବେ।

ଉଲ୍ଲେଖଯୋଗ୍ୟ ଯେ, ଲକ୍ଷ୍ମୀପୁର ଖେରୀ ଘଟଣାର ଯାଞ୍ଚ କରୁଥିବା ଏସଆଇଟି କହିଛି ଯେ ଚାଷୀଙ୍କୁ କାର୍ ଚଢ଼ାଇ ହତ୍ୟା ଘଟଣା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିଲା। ଅଭିଯୁକ୍ତଙ୍କ ଉପରେ ଲାଗୁ ହୋଇଥିବା ଦଫା ମଧ୍ୟ ଏସ୍ଆଇଟି ବଦଳାଇଛି | କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏବେ ହତ୍ୟା ମାମଲା ରୁଜୁ ହେବ ।