ଗୀତାରେ ଜିହାଦ୍: ଶିବରାଜ ପାଟିଲଙ୍କ ବିବାଦୀୟ ମନ୍ତବ୍ୟରୁ ଦୂରେଇଗଲା କଂଗ୍ରେସ, କହିଲା ଅଗ୍ରହଣୀୟ | News Room Odisha

ଗୀତାରେ ଜିହାଦ୍: ଶିବରାଜ ପାଟିଲଙ୍କ ବିବାଦୀୟ ମନ୍ତବ୍ୟରୁ ଦୂରେଇଗଲା କଂଗ୍ରେସ, କହିଲା ଅଗ୍ରହଣୀୟ

ନୂଆଦିଲ୍ଲୀ: ଭଗବଦ୍ ଗୀତା ଉପରେ ଦଳର ବରିଷ୍ଠ ନେତା ଶିବରାଜ ପାଟିଲଙ୍କ ବିବାଦୀୟ ମନ୍ତବ୍ୟରୁ କଂଗ୍ରେସ ଦୂରେଇ ଯାଇଛି । ପାଟିଲଙ୍କ ମନ୍ତବ୍ୟ ଅଗ୍ରହଣୀୟ । ଭଗବଦ୍ ଗୀତା ଭାରତୀୟ ସଭ୍ୟତାର ଏକ ମୁଖ୍ୟ ସ୍ତମ୍ଭ ବୋଲି କଂଗ୍ରେସ କହିଛି ।

ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲ ଗୁରୁବାର କହିଥିଲେ ଯେ ଜିହାଦର ଉଲ୍ଲେଖ କେବଳ ଇସଲାମରେ ନୁହେଁ, ଭଗବଦ୍ ଗୀତା ଏବଂ ଖ୍ରୀଷ୍ଟିଆନ ଧର୍ମରେ ମଧ୍ୟ ରହିଛି। କଂଗ୍ରେସର ବରିଷ୍ଠ ନେତା ମୋହସିନା କିଦୱାଇଙ୍କ ପୁସ୍ତକ ଉନ୍ମୋଚନ ବେଳେ ସେ ଏହି ମନ୍ତବ୍ୟ ଦେଇଥିଲେ ।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ ମୋର ବରିଷ୍ଠ ସହକର୍ମୀ ଶିବରାଜ ପାଟିଲ ଭଗବଦ୍ ଗୀତା ଉପରେ କିଛି ମନ୍ତବ୍ୟ ଦେଇଛନ୍ତି ଯାହା ଗ୍ରହଣୀୟ ନୁହେଁ। ସେ ତାଙ୍କ ମନ୍ତବ୍ୟ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ଯେ ଭଗବଦ୍ ଗୀତା ହେଉଛି ଭାରତୀୟ ସଭ୍ୟତାର ଏକ ମୂଳ ସ୍ତମ୍ଭ।

ସେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପୁସ୍ତକ ‘ଡିସକଭରୀ ଇଣ୍ଡିଆ’ର ଏକ କିୟଦଂଶ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଭଗବଦ୍ ଗୀତାର ବାର୍ତ୍ତା ସର୍ବଭାରତୀୟ ଏବଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ।

ରମେଶ କହିଛନ୍ତି, “ମୁଁ ଯୁବାବସ୍ଥାରେ ଭଗବଦ୍ ଗୀତା ଅଧ୍ୟୟନ କରୁଥିଲି ଏବଂ ଏହା ଏକ ସାଂସ୍କୃତିକ ଏବଂ ଦାର୍ଶନିକ ଗ୍ରନ୍ଥ ଭାବରେ ମୋତେ ବହୁତ ଆକର୍ଷିତ କରିଥିଲା। ଯୁଗ ଯୁଗ ଧରି ଏହା ଭାରତୀୟ ସଭ୍ୟତା ଉପରେ ଏହାର ବଡ଼ ପ୍ରଭାବ ରହିଛି | ମୁଁ ମୋର ପୁସ୍ତକ ‘ଦି ଲାଇଟ୍ ଅଫ୍ ଏସିଆ’ ରେ ମଧ୍ୟ ଏହା ଲେଖିଛି।