ରାହୁଲ ଗାନ୍ଧୀଙ୍କ ଭିଡ଼ିଓ ନେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଆଇଟି ସେଲ୍ ମୁଖ୍ୟଙ୍କ ବିରୋଧରେ ଏତଲା ଦେଲା କଂଗ୍ରେସ | News Room Odisha

ରାହୁଲ ଗାନ୍ଧୀଙ୍କ ଭିଡ଼ିଓ ନେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଆଇଟି ସେଲ୍ ମୁଖ୍ୟଙ୍କ ବିରୋଧରେ ଏତଲା ଦେଲା କଂଗ୍ରେସ

ବେଙ୍ଗାଲୁରୁ: କଂଗ୍ରେସ ନେତାଙ୍କ ବିରୋଧରେ ଅପମାନଜନକ ପୋଷ୍ଟ ଅଭିଯୋଗରେ କର୍ଣ୍ଣାଟକ କଂଗ୍ରେସ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟଙ୍କ ବିରୋଧରେ ବେଙ୍ଗାଲୁରୁର ହାଇ ଗ୍ରାଉଣ୍ଡ ପୋଲିସ ଥାନାରେ ଏତଲା ଦେଇଛି ।

କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେ ଏବଂ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ମୁଖପାତ୍ର ରମେଶ ବାବୁ ରାହୁଲ ଗାନ୍ଧୀଙ୍କ ଏକ ଆନିମେଟେଡ୍ ଭିଡିଓ ବିରୋଧରେ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ରହିଛି ବୋଲି ଏହି ଭିଡିଓରେ ଦାବି କରାଯାଇଛି । ଚଣ୍ଡିଗଡ଼ ବିଜେପି ରାଜ୍ୟ ସଭାପତି ଅରୁଣ ସୁଦଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରୁଜୁ ହୋଇଛି।

ଖଡ଼ଗେ କହିଛନ୍ତି ଯେ ଜୁନ୍ ୧୭ରେ ଅମିତ ମାଲବୀୟ ତାଙ୍କ ଅଫିସିଆଲ ଆକାଉଣ୍ଟରୁ ଏକ ଆନିମେଟେଡ୍ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡ଼ିଓରେ ଦାବି ହୋଇଛି ଯେ କଂଗ୍ରେସ ଦଳ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ । ଯେତେବେଳେ ରାହୁଲ ଗାନ୍ଧୀ ବିଦେଶ ଯାଆନ୍ତି, ସେତେବେଳେ ସେ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଥାନ୍ତି। ଏହି ଭିଡ଼ିଓରେ ଅଭିଯୋଗ ହୋଇଛି ଯେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ଦେଶକୁ ବିଭାଜନ କରୁଛନ୍ତି ।

ପ୍ରିୟାଙ୍କ ଖଡ଼ଗେ କହିଛନ୍ତି ଯେ ବିଜେପି ଦ୍ୱାରା ପରିଚାଳିତ ମିଛ କାରଖାନା ବନ୍ଦ କରିବାକୁ ଆମେ ନିଷ୍ପତ୍ତି ନେଇଛୁ।
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ବିଜେପି ଆଇଟି ସେଲକୁ ଭର୍ତ୍ସନା କରି କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ।