ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲା କଂଗ୍ରେସ, ଅପରାଧିକ ମାମଲା ରୁଜୁ ପାଇଁ ଦାବି | News Room Odisha

ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲା କଂଗ୍ରେସ, ଅପରାଧିକ ମାମଲା ରୁଜୁ ପାଇଁ ଦାବି

ବାଙ୍ଗାଲୋର: ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୮ ଜୁଲାଇରେ ଭୋଟ୍ ଗ୍ରହଣ ସରିଛି। ଆସନ୍ତାକାଲି ଫଳାଫଳ ଘୋଷଣା ହେବ । ଯଦି ଭୋଟ୍ ମୂଲ୍ୟ ଆକଳନ କରାଯାଏ, ତେବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଇପାରିବ। ଇତି ମଧ୍ୟରେ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ନିର୍ବାଚନ ଆୟୋଗ ନିକଟରେ ଏକ ଅଭିଯୋଗ ଦାଖଲ କରିଛି । ବେଙ୍ଗାଲୁରୁ ବିଧାନସଭାରେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଦିଆଯାଇଥିବା ସବୁ ଭୋଟ୍ ଅବୈଧ ଘୋଷଣା କରିବାକୁ କଂଗ୍ରେସ ଦାବି କରିଛି ।

ରାଷ୍ଟ୍ରପତି ନିର୍ବାଚନରେ ​ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମଙ୍ଗଳବାର ଏଠାରେ ନିର୍ବାଚନ ଆୟୋଗଙ୍କ ନିକଟରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛି ।

କଂଗ୍ରେସର ଅଭିଯୋଗ ମୁତାବକ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଦେଶରେ ଜୁଲାଇ ୧୭ ରେ ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ବେଙ୍ଗାଲୁରୁର ଏକ ପଞ୍ଚ ତାରକା ହୋଟେଲକୁ ଆମନ୍ତ୍ରଣ କରାଯାଇଥିଲା । ବିଧାୟକଙ୍କୁ ତାଲିମ ଆଳରେ ସେଠାରେ ବିଜେପି ନେତାଙ୍କୁ ବିଳାସପୂର୍ଣ୍ଣ ରୁମରେ ରଖାଯାଇଥିଲା ଏବଂ ଖାଦ୍ୟ, ମଦ, ପାନୀୟ, ମନୋରଞ୍ଜନ ଦ୍ବାରା ଆପ୍ୟାୟିତ କରାଯାଇଥିଲା ।

ଦ୍ରୌପଦୀ ମୁର୍ମୁ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ, ବିଜେପି ରାଜ୍ୟ ସଭାପତି ନଳିନୀ କୁମାର, ଦଳର ମୁଖ୍ୟ ସଚେତକ ଏବଂ ବିଜେପି ମନ୍ତ୍ରୀ, ବିଜେପି ବିଧାୟକ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ କଂଗ୍ରେସ ଦାବି କରିଛି। ଅଭିଯୋଗ ଉପରେ ବିରୋଧୀ ଦଳର ନେତା ସିଦ୍ଧରମୈୟା, ରାଜ୍ୟ କଂଗ୍ରେସ ମୁଖ୍ୟ ଡି.ଶିବକୁମାର ଏବଂ ବିଧାନ ପରିଷଦରେ ବିରୋଧୀ ଦଳର ନେତା ବିକେ ହରିପ୍ରସାଦ ସ୍ୱାକ୍ଷର କରିଛନ୍ତି।