ତୈଳଦର ବୃଦ୍ଧି ବିରୋଧରେ କଂଗ୍ରେସର 'ମହଙ୍ଗା ମୁକ୍ତ ଭାରତ' ଅଭିଯାନ, ସଂସଦ ଆଗରେ ରାହୁଲଙ୍କ ସମେତ ଦଳୀୟ ନେତାଙ୍କ ଧାରଣା | News Room Odisha

ତୈଳଦର ବୃଦ୍ଧି ବିରୋଧରେ କଂଗ୍ରେସର ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ, ସଂସଦ ଆଗରେ ରାହୁଲଙ୍କ ସମେତ ଦଳୀୟ ନେତାଙ୍କ ଧାରଣା

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ସିଏନଜି ଦର ବୃଦ୍ଧି ବିରୋଧରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ସାଂସଦ ଗୁରୁବାର ସଂସଦ ନିକଟରେ ଧାରଣା ଦେଇଛନ୍ତି ।

କଂଗ୍ରେସର ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନର ଏକ ଅଂଶ ଭାବେ ସଂସଦର ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହେବାର ଦେଢ଼ ଘଣ୍ଟା ପୂର୍ବରୁ ଦଳୀୟ ସାଂସଦ ବିଜୟ ଚୌକ ଠାରେ ଧାରଣାରେ ବସିଥିଲେ ।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ, ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଏବଂ ଅନ୍ୟାନ୍ୟ ସାଂସଦ ଏଥିରେ ଅଂଶଗ୍ରହଣ କରିଥିଲେ।

କଂଗ୍ରେସ ସାଂସଦମାନେ ମଧ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନମାନ ଦେଇଥିଲେ।

ଶନିବାର ଅନୁଷ୍ଠିତ କଂଗ୍ରେସର ସାଧାରଣ ସଚିବ ଏବଂ ରାଜ୍ୟ ପ୍ରଭାରୀ ମାନଙ୍କ ଥିବା ଏକ ବୈଠକରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଏବଂ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ବିରୋଧରେ ସରକାରଙ୍କୁ ଘେରିବାକୁ ମାର୍ଚ୍ଚ ୩୧ରୁ ତିନିଟି ପର୍ଯ୍ୟାୟରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।