ସରକାରଙ୍କୁ କଂଗ୍ରେସ ନେତା ହରିଶ ରାୱତଙ୍କ ପରାମର୍ଶ: ପାକିସ୍ତାନ ଏବେ ଦୁର୍ବଳ, ଫେରାଇ ଆଣ ପାକ୍ ଅଧିକୃତ କାଶ୍ମୀର | News Room Odisha

ସରକାରଙ୍କୁ କଂଗ୍ରେସ ନେତା ହରିଶ ରାୱତଙ୍କ ପରାମର୍ଶ: ପାକିସ୍ତାନ ଏବେ ଦୁର୍ବଳ, ଫେରାଇ ଆଣ ପାକ୍ ଅଧିକୃତ କାଶ୍ମୀର

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ମୁକ୍ତ କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ଆମେ ଏ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ ବୋଲି କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ କହିଛନ୍ତି ।

ହରିଶ ରାୱତ କହିଛନ୍ତି ଯେ ପାକିସ୍ତାନର ସ୍ଥିତି ବର୍ତ୍ତମାନ ଦୁର୍ବଳ ଏବଂ ଆମେ ପିଓକେକୁ ଫେରାଇ ଆଣିବା ପାଇଁ ଏହା ହିଁ ଠିକ୍ ସମୟ ।

ରାୱତ ଏକ ଗଣମାଧ୍ୟମକୁ କହିଛନ୍ତି, “ପାକିସ୍ତାନର ବେଆଇନ ଦଖଲରେ ଥିବା କାଶ୍ମୀରକୁ ମୁକ୍ତ କରିବା ଆମର ଦାୟିତ୍ବ। ଏନେଇ କଂଗ୍ରେସ ସରକାର ଅମଳରେ ସଂସଦରେ ଏକ ସଂକଳ୍ପ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ମୋଦୀ ସରକାରଙ୍କ ଏଜେଣ୍ଡାରେ ଏଜେଣ୍ଡାରେ ମଧ୍ୟ ଏହା ରହିବା ଉଚିତ । ପିଓକେକୁ ମୁକ୍ତ କରିବାକୁ କେବଳ କଥାରେ କହିଲେ ହେବ ନାହିଁ। ବର୍ତ୍ତମାନ ପାକିସ୍ତାନ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛି। ସମୟ ଆସିଛି ଆମେ ପାକିସ୍ତାନର ଅଧିକୃତ କାଶ୍ମୀରକୁ ପାକିସ୍ତାନରୁ ଫେରାଇ ଆଣିପାରିବା । ”

ପାକିସ୍ତାନର ନୂଆ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର କହିଥିଲେ ଯେ ଯଦି ତାଙ୍କ ଦେଶ ଉପରେ ଆକ୍ରମଣ ହୁଏ, ତେବେ ସେନା ନିଜ ଦେଶକୁ ରକ୍ଷା କରିବାକୁ ଏବଂ ଶତ୍ରୁକୁ ଜବାବ ଦେବାକୁ ପ୍ରସ୍ତୁତ ଅଛି। ଅସୀମ ମୁନିରଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରାୱତ ପାକ୍ ଅଧିକୃତ କାଶ୍ମୀର ଫେରାଇ ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏହାପୂର୍ବରୁ ଭାରତର ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଥିଲେ ଯେ ସରକାରଙ୍କ ଆଦେଶ ମିଳିଲେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ମୁକ୍ତ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି। ଦ୍ବିବେଦୀଙ୍କ ଉକ୍ତ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ପାକିସ୍ତାନର ନୂଆ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର୍ ଯୁଦ୍ଧ ପାଇଁ ପାକିସ୍ତାନ ଉପରେ ଆକ୍ରମଣ କରାଗଲେ ଉଚିତ ଜବାବ୍ ଦିଆଯିବ ବୋଲି କହିଥିଲେ।