'ହିଟଲରଙ୍କ ପଥରେ ଚାଲୁଥିବା ମୋଦି ହିଟଲର ଭଳି ମରିବେ', ପ୍ରଧାନମନ୍ତ୍ରୀଙ୍କ ଉପରେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ | News Room Odisha

‘ହିଟଲରଙ୍କ ପଥରେ ଚାଲୁଥିବା ମୋଦି ହିଟଲର ଭଳି ମରିବେ’, ପ୍ରଧାନମନ୍ତ୍ରୀଙ୍କ ଉପରେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ କଂଗ୍ରେସ ନେତା ସୁବୋଧ କାନ୍ତ ସହାୟଙ୍କ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଛି । ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସର ପ୍ରତିବାଦ ସଭାରେ ସୁବୋଧ କାନ୍ତ ସହାୟ କହିଛନ୍ତି ଯେ ମୋଦି ହିଟଲରଙ୍କ ପଥ ଅନୁସରଣ କରୁଛନ୍ତି ଏବଂ ସେ ହିଟଲରଙ୍କ ଭଳି ହିଁ ମରିବେ। ସେ କହିଛନ୍ତି, “ହିଟଲର ମଧ୍ୟ ଏପରି ଏକ ସଂସ୍ଥା ଗଢିଥିଲେ ଯାହାର ନାଁ ଖାକି ଥିଲା । ସେନାର ଲୋକଙ୍କୁ ନେଇ ହିଟଲର ଏପରି ସଂସ୍ଥା ଗଠନ କରିଥିଲେ । ଯଦି ମୋଦି ହିଟଲରଙ୍କ ପଥରେ ଯାଆନ୍ତି, ତେବେ ତାଙ୍କର ମୃତ୍ୟୁ‌ ମଧ୍ୟ ହିଟଲର ଭଳି‌ ହେବ। ମୋଦି ଏହା ମନେରଖ।”

ଏହାପୂର୍ବରୁ ସୁବୋଧ କାନ୍ତ ସହାୟ କହିଥିଲେ ଯେ ଆମର ଦୁଇ ବା ତିନୋଟି ନିର୍ବାଚିତ ସରକାରକୁ ହଟାଇବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଥିଲା। ମଦାରୀ ରୂପରେ ଆସିଥିବା ମୋଦି ଏହି ଦେଶରେ ଏକଛତ୍ରବାଦୀ ଶାସନ ଚଳାଇଛନ୍ତି। ମୁଁ ଭାବୁଛି ଏଥିରେ ମୋଦି ହିଟଲରଙ୍କୁ ମଧ୍ୟ ବଳିଯାଇଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଉପରେ ତାଙ୍କର ମନ୍ତବ୍ୟ ନେଇ ସୁବୋଧକାନ୍ତ ସହାୟ ପରେ ସଫେଇ ଦେଇଥିଲେ । ସେ କହିଥିଲେ ଯେ ଯଦି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଅଟନ୍ତି ତେବେ ତାଙ୍କ ନୀତି ଉପରେ ପ୍ରଶ୍ନ କରାଯିବ। ଏହି ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ମୋଦିଙ୍କ ନୀତି ଯୋଗୁଁ ଦେଶ ଆଜି ଜଳୁଛି। ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଉଛି ତିନି ସେନା ମୁଖ୍ୟଙ୍କୁ ନରେନ୍ଦ୍ର ମୋଦୀଜୀଙ୍କ ଅଗ୍ନିପଥ ଯୋଜନାକୁ ସଫେଇ ଦେବାକୁ ପଡିଛି । କିନ୍ତୁ ସରକାର ସେନା ମୁଖ୍ୟ ମାନଙ୍କୁ ନିଜର ଢାଲ ଭାବେ ବ୍ୟବହାର କରୁଛନ୍ତି। ମୋଦିଙ୍କୁ ହିଟଲର ସହ ଯୋଡ଼ିବା ନେଇ ସୁବୋଧକାନ୍ତ ସହାୟ କହିଛନ୍ତି ଯେ ‘ହିଟଲର ଖାକି ସେନାଙ୍କ ଏକ ସଂଗଠନ ଗଢିଥିଲେ ଏବଂ ମୋଦି ଏହି ଜର୍ମାନ ଏକଛତ୍ରବାଦୀ ଶାସକଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ସହାୟ କହିଛନ୍ତି ଯେ ମୁଁ ଯାହା କହିଲା ସେଭଳି ଏକ ପ୍ରବାଦ ରହିଛି ।

ଅପରପକ୍ଷରେ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ତାଙ୍କ ସାଥୀ ନେତା ସହାୟଙ୍କ ମନ୍ତବ୍ୟରୁ କଂଗ୍ରେସକୁ ଦୂରେଇ ରଖିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଦଳ ମୋଦି ସରକାରଙ୍କ ଏକଛତ୍ରବାଦୀ ଚିନ୍ତାଧାରା ଏବଂ ଲୋକ ବିରୋଧୀ ନୀତି ବିରୋଧରେ ଲଢେଇ ଜାରି ରଖିବ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୌଣସି ଅପମାନ ଜନକ ମନ୍ତବ୍ୟ ପ୍ରୟୋଗ କରିବାରେ ଆମେ ବିଶ୍ବାସ କରୁନୁହଁ। ଗାନ୍ଧୀ ନୀତି ଏବଂ ମାର୍ଗରେ ଆମର ସଂଗ୍ରାମ ଜାରି ରହିବ |