କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବିବାଦୀୟ ମନ୍ତବ୍ୟ, କହିଲେ 'ଗୀତାରେ ବି ଜିହାଦ୍ ବିଷୟରେ ଉଲ୍ଲେଖ ରହିଛି' | News Room Odisha

କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବିବାଦୀୟ ମନ୍ତବ୍ୟ, କହିଲେ ‘ଗୀତାରେ ବି ଜିହାଦ୍ ବିଷୟରେ ଉଲ୍ଲେଖ ରହିଛି’

ନୂଆଦିଲ୍ଲୀ: ଗୀତା ଉପରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ପାଟିଲ କହିଛନ୍ତି ଯେ ଜିହାଦ୍ କେବଳ କୁରାନ ସରିଫରେ ନୁହେଁ ଗୀତାରେ ମଧ୍ୟ ରହିଛି। ଶିବରାଜ ପାଟିଲଙ୍କ ଏହି ମନ୍ତବ୍ୟ ନେଇ କଂଗ୍ରେସ ଉପରେ ଆକ୍ରମଣ କରିଛି ବିଜେପି ।

ଶିବରାଜ ପାଟିଲ ଗୁରୁବାର ଏକ ପୁସ୍ତକ ଉନ୍ମୋଚନ ବେଳେ ଏଭଳି ମନ୍ତବ୍ୟ ଦେଇଥିଲେ ।

ଶିବରାଜ ପାଟିଲ କହିଥିଲେ, ” ଜିହାଦ୍ କେବଳ ଇସଲାମ ଧର୍ମ ମଧ୍ୟରେ ସୀମିତ ରହିଛି ବୋଲି ଆଲୋଚନା ହେଉଛି। କିନ୍ତୁ ଗୀତା ଏବଂ ବାଇବଲରେ ମଧ୍ୟ ଜିହାଦ୍ ବିଷୟରେ ଉଲ୍ଲେଖ ଅଛି। ଯେତେବେଳେ ମନର ସ୍ବଚ୍ଛ ବିଚାରକୁ କେହି ବୁଝନ୍ତି ନାହିଁ, ସେତେବେଳେ ଜଣେ ଶକ୍ତି ବ୍ୟବହାର କରିବାକୁ କୁହାଯାଏ। ଏହା କେବଳ କୁରାନରେ ନୁହେଁ। ଗୀତାରେ ମଧ୍ୟ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦ୍ ବିଷୟରେ କହିଛନ୍ତି । ଖ୍ରୀଷ୍ଟିଆନମାନେ ମଧ୍ୟ ଜିହାଦ୍ କଥା ଲେଖିଛନ୍ତି ବୋଲି ପାଟିଲ କହିଛନ୍ତି ।

ଶିବରାଜ ପାଟିଲଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା କଂଗ୍ରେସ ଦଳକୁ ଟାର୍ଗେଟ କରି ଏହାକୁ ‘ଭୋଟ୍ ବ୍ୟାଙ୍କର ରାଜନୀତି’ ବୋଲି କହିଛନ୍ତି।

ଶାହାଜାଦ ପୁନାୱାଲା ଟ୍ୱିଟ୍ କରି କହିଛନ୍ତି, “ହିନ୍ଦୁମାନଙ୍କ ପ୍ରତି ଏହି ଘୃଣା କୌଣସି ସଂଯୋଗ ନୁହେଁ ବରଂ ଭୋଟ୍ ବ୍ୟାଙ୍କର ପ୍ରୟୋଗ। ଗୁଜରାଟ ନିର୍ବାଚନ ପୂର୍ବରୁ ଭୋଟ୍ ବ୍ୟାଙ୍କକୁ ଧ୍ରୂବୀକରଣ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଛି। ଏହାପୂର୍ବରୁ ‘ଜନେଉଧାରୀ’ ରାହୁଲ ଗାନ୍ଧୀ ମଧ୍ୟ ହିନ୍ଦୁତ୍ୱ ବିରୋଧରେ ଅନେକ କଥା କହିଛନ୍ତି। ରାହୁଲ ଲସ୍କର-ଇ-ତାଇବା ହିନ୍ଦୁ ସଂଗଠନ ମାନଙ୍କ ଅପେକ୍ଷା କମ୍ ବିପଜ୍ଜନକ ବୋଲି କହିଥିଲେ । ଦିଗବିଜୟ ୨୬/୧୧ ଆକ୍ରମଣ ପାଇଁ ହିନ୍ଦୁମାନଙ୍କୁ ଦାୟୀ କରିଥିଲେ ।”