ଅତିକ୍ ଅହମ୍ମଦଙ୍କ କବର ଉପରେ ତ୍ରିରଙ୍ଗା ରଖି ଦଳରୁ ବିଦା ହେଲେ କଂଗ୍ରେସ ନେତା | News Room Odisha

ଅତିକ୍ ଅହମ୍ମଦଙ୍କ କବର ଉପରେ ତ୍ରିରଙ୍ଗା ରଖି ଦଳରୁ ବିଦା ହେଲେ କଂଗ୍ରେସ ନେତା

ପ୍ରୟାଗରାଜ: ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦଙ୍କ କବର ଉପରେ ତ୍ରିରଙ୍ଗା ରଖି ତାଙ୍କୁ ଭାରତରତ୍ନ ଦାବି କରିଥିବା ନେତାଙ୍କୁ ଦଳରୁ ବିଦା କରିଛି କଂଗ୍ରେସ । ପୋଲିସ ମଧ୍ୟ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

କଂଗ୍ରେସ ନେତା ରାଜକୁମାର ଓରଫ୍ ରାଜୁ ଭୈୟା, ଅତିକ୍ ଅହମ୍ମଦଙ୍କ କବରକୁ ତ୍ରିରଙ୍ଗାରେ ଘୋଡ଼ାଇ ତାଙ୍କୁ ସହିଦ ଘୋଷଣା କରିଥିଲେ। ଏପରିକି ଏହି ନିହତ ଗ୍ୟାଙ୍ଗଷ୍ଟରଙ୍କୁ ଭାରତ ରତ୍ନ ଦେବାକୁ ସେ ଦାବି ମଧ୍ୟ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନଗର କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି ।

ଅତିକ୍ ଅହମ୍ମଦଙ୍କ ଉପରେ ରାଜକୁମାର ଦେଇଥିବା ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ଓ ଏହା ସହ ଦଳର କୌଣସି ସମ୍ପର୍କ ନାହିଁ ବୋଲି କଂଗ୍ରେସ କହିଛି। ରାଜକୁମାରଙ୍କ କାଉନସିଲର ପ୍ରାର୍ଥୀପତ୍ର ମଧ୍ୟ ପ୍ରତ୍ୟାହାର କରାଯାଇଛି। ଅତିକଙ୍କୁ ଯୋଗୀ ଆଦିତ୍ୟନାଥ ସରକାର ହତ୍ୟା କରିଥିବା ଅଭିଯୋଗ କରିଥିଲେ ରାଜକୁମାର। ଏଥିପାଇଁ ସେ ୟୁପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

ମାଫିଆ ଡନରୁ ରାଜନେତା ବନିଥିବା ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ ଅହମ୍ମଦଙ୍କୁ ପୋଲିସ ମେଡିକାଲ ଚେକଅପ୍ ପାଇଁ ନେଉଥିବା ବେଳେ ଗତ ଶନିବାର (ଏପ୍ରିଲ ୧୫) ରାତିରେ ପ୍ରୟାଗରାଜ କଲଭିନ୍ ହସ୍ପିଟାଲ ନିକଟରେ ତିନି ଜଣ ଆତତାୟୀ ଉଭୟଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ପୋଲିସ ହାଜତରେ ଅତିକ୍-ଅଶରଫଙ୍କ ହତ୍ୟା ନେଇ ଯୋଗୀ ସରକାରକୁ ଘେରିଥିଲେ ବିରୋଧୀ । ଉତ୍ତର ପ୍ରଦେଶରେ ‘ଜଙ୍ଗଲ ରାଜ’ ଚାଲିଛି ବୋଲି ସେମାନେ ଅଭିଯୋଗ କରିବା ସହ ଯୋଗୀ ସରକାରକୁ ବରଖାସ୍ତ କରିବାକୁ ଦାବି କରିଥିଲେ ।