କଂଗ୍ରେସ ହାତରୁ ଗଲା ଆଇଟି, ଗୃହ ସଂସଦୀୟ କମିଟିର ଅଧ୍ୟକ୍ଷ ପଦ, ୬ ପ୍ରମୁଖ କମିଟିର ଅଧ୍ୟକ୍ଷତା ନିଜ ପାଖରେ ରଖିଲା ବିଜେପି | News Room Odisha

କଂଗ୍ରେସ ହାତରୁ ଗଲା ଆଇଟି, ଗୃହ ସଂସଦୀୟ କମିଟିର ଅଧ୍ୟକ୍ଷ ପଦ, ୬ ପ୍ରମୁଖ କମିଟିର ଅଧ୍ୟକ୍ଷତା ନିଜ ପାଖରେ ରଖିଲା ବିଜେପି

ନୂଆଦିଲ୍ଲୀ: ବିଭିନ୍ନ ସଂସଦୀୟ କମିଟିର ପୁନର୍ଗଠନ ହୋଇଛି । ଗୃହ ବିଭାଗ ଏବଂ ସୂଚନା ପ୍ରଯୁକ୍ତି ସମେତ ଚାରିଟି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ବିରୋଧୀ ଦଳ ଠାରୁ ଛଡ଼ାଇ ନିଆଯାଇଛି ‌।

ଗୃହ, ସୂଚନା ପ୍ରଯୁକ୍ତି, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଏବଂ ସ୍ୱାସ୍ଥ୍ୟ ଭଳି ୬ଟି ପ୍ରମୁଖ ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ଏବେ ବିଜେପି ଓ ଏହାର ସହଯୋଗୀଙ୍କୁ ଦିଆଯାଇଛି।

କଂଗ୍ରେସ ସାଂସଦ ଅଭିଷେକ ମୁନ ସିଂଭିଙ୍କ ସ୍ଥାନରେ ଗୃହ ବିଭାଗର ସଂସଦୀୟ କମିଟି ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ବ୍ରିଜଲାଲଙ୍କୁ ନିଯୁକ୍ତ କରାଯାଇଛି ।

ସୂଚନା ପ୍ରଯୁକ୍ତି ସଂସଦୀୟ କମିଟିରେ ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀର ସାଂସଦ ପ୍ରତାପ ଯାଦବଙ୍କୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ସ୍ଥାନରେ ଅଧ୍ୟକ୍ଷ କରାଯାଇଛି।

ଖାଦ୍ୟ ଏବଂ ଖାଉଟି ବ୍ୟାପାର ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ତୃଣମୂଳ କଂଗ୍ରେସ ପାଖରେ ଥିଲା । କିନ୍ତୁ ପୁନର୍ଗଠନ ପରେ ଦଳ ହାତରୁ ଏହି କମିଟିର ଅଧ୍ୟକ୍ଷ ପଦ କାଢ଼ି ନିଆଯାଇଛି ।

ସଂସଦୀୟ କମିଟି ଗୁଡ଼ିକରେ ଅଦଳବଦଳ ନେଇ ତୃଣମୂଳ କଂଗ୍ରେସ ରାଜ୍ୟସଭା ସଦସ୍ୟ ଡେରେକ ଓ’ବ୍ରାଏନ୍ ଟ୍ବିଟ୍ କରି କହିଛନ୍ତି, ” ସଂସଦର ତୃତୀୟ ବୃହତ୍ତମ ବିରୋଧୀ ଦଳ ହେଉଛି ତୃଣମୂଳ କଂଗ୍ରେସ। ଦ୍ୱିତୀୟ ବୃହତ୍ତମ ବିରୋଧୀ ଦଳ ମଧ୍ୟ ଗୋଟିଏ ଅଧ୍ୟକ୍ଷ ପଦ ପାଇନାହାଁନ୍ତି। ଦୁଇଟି ସ୍ଥାୟୀ କମିଟିର ଅଧ୍ୟକ୍ଷ ପଦ ମଧ୍ୟ ସବୁଠୁ ବଡ଼ ବିରୋଧୀ ଦଳର ହାତରୁ ଚାଲିଯାଇଛି। ଏହା ହେଉଛି ନୂଆ ଭାରତର କଠୋର ବାସ୍ତବତା |”

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦର କମିଟିର ଅଧ୍ୟକ୍ଷ ପଦରୁ ଏସପି ନେତା ରାମ ଗୋପାଳ ଯାଦବଙ୍କୁ ହଟାଇ ଦିଆଯାଇଛି। ବିଜେପି ସାଂସଦ ଲକେଟ୍ ବାନାର୍ଜୀ ସଂସଦୀୟ ଖାଦ୍ୟ କମିଟିର ଅଧ୍ୟକ୍ଷ ଏବଂ ତାଙ୍କ ଦଳର ସହକର୍ମୀ ବିବେକ ଠାକୁରଙ୍କୁ ସ୍ୱାସ୍ଥ୍ୟ କମିଟିର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।

ଡିଏମକେକୁ ଶିଳ୍ପ ବ୍ୟାପାର ସଂସଦୀୟ କମିଟିର ଅଧ୍ୟକ୍ଷ ପଦ ପ୍ରଦାନ କରାଯାଇଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଟିଆରଏସ୍ ହାତରେ ଥିଲା ।