ଆଦାନୀ ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗଲା କଂଗ୍ରେସ, ୧୭ରେ ଶୁଣାଣି | News Room Odisha

ଆଦାନୀ ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଗଲା କଂଗ୍ରେସ, ୧୭ରେ ଶୁଣାଣି

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍-ହିଣ୍ଡେନବର୍ଗ ମାମଲାରେ ଏବେ କଂଗ୍ରେସ ମଧ୍ୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି । ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ କରିଥିବା ଅଭିଯୋଗର ତଦନ୍ତ ଜଣେ ସୁପ୍ରିମକୋର୍ଟ ଜଜଙ୍କ ତତ୍ତ୍ଵାବଧାନରେ କରିବାକୁ ଦାବି କରି କଂଗ୍ରେସ ପକ୍ଷରୁ ପିଟିସନ ଦାୟର କରାଯାଇଛି । କଂଗ୍ରେସର ଏହି ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି ।

ଏହି ପିଟିସନର ଜରୁରୀ ଶୁଣାଣି ହେବା ଉଚିତ ବୋଲି କଂଗ୍ରେସ ନେତ୍ରୀ ଜୟା ଠାକୁରଙ୍କ ତରଫରୁ ହାଜର ଓକିଲଙ୍କ ଯୁକ୍ତିରେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ ନରସିଂହାଙ୍କ ଏକ ଖଣ୍ଡପୀଠ ସହମତ ହୋଇଥିଲେ । ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି ପାଇଁ ଫେବୃଆରୀ ୧୭କୁ ଦିନ ଧାର୍ଯ୍ୟ କରିଛନ୍ତି ।

କଂଗ୍ରେସ ନେତ୍ରୀ ଜୟା ଠାକୁର ତାଙ୍କ ଆବେଦନରେ ଏଲଆଇସି ଏବଂ ଏସବିଆଇ ଭଳି ରାଷ୍ଟ୍ରାୟତ୍ତ ସଂସ୍ଥା ପକ୍ଷରୁ ଆଦାନୀ ଏଣ୍ଟରପ୍ରାଇଜେସରେ ବିପୁଳ ପରିମାଣର ନିବେଶ ନେଇ ଯାଞ୍ଚ କରିବାକୁ ମଧ୍ୟ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଆଦାନୀ ଗ୍ରୁପ୍-ହିଣ୍ଡେନବର୍ଗ ବିବାଦ ସଂକ୍ରାନ୍ତ ଦୁଇଟି ଜନସ୍ବାର୍ଥ ମାମଲାର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟ କରୁଛନ୍ତି । ହିଣ୍ଡନବର୍ଗ ରିସର୍ଚ୍ଚ ଦ୍ୱାରା ଠକେଇ ଅଭିଯୋଗ ପରେ ଆଦାନୀ ଗ୍ରୁପ୍‌ର ସେୟାରରେ ବଡ଼ ଧରଣର ହ୍ରାସ ଘଟିଥିଲା । ଏନେଇ ଷ୍ଟକ୍ ମାର୍କେଟ ପାଇଁ ନିୟାମକ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ବିଶେଷଜ୍ଞଙ୍କ ଏକ ପ୍ୟାନେଲ୍ ଗଠନ ପାଇଁ ସୋମବାର ସୁପ୍ରିମକୋର୍ଟଙ୍କ ପ୍ରସ୍ତାବରେ କେନ୍ଦ୍ର ରାଜି ହୋଇଛି।

ନିବେଶକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକ ଉତ୍ତମ ମନିଟରିଂ ମେକାନିଜିମ୍ ଗଠନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ବଜାର ନିୟାମକ ସେବି ଏବଂ ଭାରତ ସରକାରଙ୍କ ଠାରୁ ମତାମତ ଲୋଡିଥିଲେ । ଭାରତୀୟ ନିବେଶକଙ୍କ ହୋଇଥିବା ବିପୁଳ କ୍ଷତିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ପ୍ରକଟ କରିଥିଲେ ।