ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ | News Room Odisha

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ

ନୂଆଦିଲ୍ଲୀ: ଦଳ ଭିତରେ ମତଭେଦ ଓ ନେତାଙ୍କ ଇସ୍ତଫା ଧାରା ମଧ୍ୟରେ କଂଗ୍ରେସ ଦଳରେ ଦୀର୍ଘ ବ୍ୟବଧାନ ପରେ ସଭାପତି ନିର୍ବାଚନ ହେବାକୁ ଯାଉଛି। ଜଣକ ପରେ ଜଣେ ପୁରୁଣା ଏବଂ ଅଭିଜ୍ଞ ଚେହେରା ଦଳ ଛାଡ଼ିବାରେ ଲାଗିଛନ୍ତି । ରାଜ୍ୟରେ ଦଳର ସଂଗଠନ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନରେ ​​ଦଳର ପ୍ରଦର୍ଶନ ନିରାଶାଜନକ ହୋଇଛି । ଏପରି ସମସ୍ୟା ମଧ୍ୟରେ ଆଜି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକରେ ନିଷ୍ପତ୍ତି ହୋଇଛି ଯେ ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଓ ୧୯ରେ ଫଳାଫଳ ଘୋଷଣା କରାଯିବ। ସଭାପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ | ସୂତ୍ରରୁ ପ୍ରକାଶ ଯେ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ୨୪ ସେପ୍ଟେମ୍ବରରୁ ଆରମ୍ଭ ହେବ । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର।

ଗତ ବର୍ଷ ସିଡବ୍ଲ୍ୟୁସି ଅନୁମୋଦିତ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୨୦ ମଧ୍ୟରେ କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଶେଷ କରିବାକୁ ସ୍ଥିର ହୋଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ​​ଦଳର ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସୋନିଆ ଗାନ୍ଧୀ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି। ବର୍ତ୍ତମାନ ସୋନିଆ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶରେ ଅଛନ୍ତି। ତାଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଅଛନ୍ତି।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଏପରି ଏକ ସମୟରେ ହୋଇଛି ଯେତେବେଳେ ଦଳର ଭେଟେରାନ ନେତା ଗୁଲାମ ନବୀ ଆଜାଦ କିଛି ଦିନ ତଳେ କଂଗ୍ରେସର ଭବିଷ୍ୟତ ଏବଂ ରାହୁଲ ଗାନ୍ଧୀଙ୍କ ପରିପକ୍ବତା ଉପରେ ପ୍ରଶ୍ନ ଉଠାଇ ଇସ୍ତଫା ଦେଇଥିଲେ ।

ସୋନିଆ ଗାନ୍ଧୀ ଅନଲାଇନରେ ସିଡବ୍ଲ୍ୟସିର ଅଧ୍ୟକ୍ଷତା କରିଥିଲେ। ବଡ଼ କଥା ହେଉଛି କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳର କିଛି ନେତା ରାହୁଲ ଗାନ୍ଧୀଙ୍କ ସପକ୍ଷରେ ପ୍ରସ୍ତାବ ଦେଇଥିଲେ । ନିକଟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ହେବାକୁ ଅନୁରୋଧ କରିଥିଲେ। ତେବେ ଦଳର କିଛି ନେତା କହିଛନ୍ତି ଯେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ନହେବା ଜିଦରେ ଅଟଳ ଅଛନ୍ତି ।