କଂଗ୍ରେସ ଜାରି କଲା ୩୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ୱାୟନାଡରୁ ଲଢ଼ିବେ ରାହୁଲ ଗାନ୍ଧୀ | News Room Odisha

କଂଗ୍ରେସ ଜାରି କଲା ୩୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ୱାୟନାଡରୁ ଲଢ଼ିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ଏହି ତାଲିକାରେ ୩୯ ଜଣ ପ୍ରାର୍ଥୀଙ୍କ ନାମ ରହିଛି | ଦଳର ପ୍ରଥମ ପ୍ରାର୍ଥୀ ତାଲିକା ଅନୁସାରେ ରାହୁଲ ଗାନ୍ଧୀ ଏଥର ବି କେରଳର ୱାୟନାଡରୁ ଲଢ଼ିବେ । ରାହୁଲ ଗତଥର ଦୁଇଟି ଆସନ ୱାୟନାଡ ଓ ଆମେଥିରୁ ନିର୍ବାଚନ ଲଢ଼ିଥିଲେ । ତେବେ ଆମେଥିରେ ସେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିବା ବେଳେ ୱାୟାନାଡରୁ ଜିତିଥିଲେ ।

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାଜନନ୍ଦଗାଓଁରୁ ଲଢ଼ିବାକୁ ଥିବାବେଳେ ଦୁର୍ଗରୁ ରାଜେନ୍ଦ୍ର ସାହୁ, ରାୟପୁରରୁ ବିକାଶ ଉପାଧ୍ୟାୟ ପ୍ରତିଦ୍ବନ୍ଦ୍ବିତା କରିବେ। ବରିଷ୍ଠ ନେତା ଶଶି ଥରୁର ଏଥର ମଧ୍ୟ ଥିରୁଭନନ୍ତପୁରମର ଲଢ଼ିବେ । ମେଘାଳୟର ଭିନ୍ସେଣ୍ଟ ପାଲା ଏବଂ ତ୍ରିପୁରା ପଶ୍ଚିମରୁ ଆଶିଷ ସାହାଙ୍କ ନାମ ଘୋଷଣା କରାଯାଇଛି ।

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତିି । ଦଳର ପ୍ରଥମ ତାଲିକାରେ ୧୫ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ଅବଶିଷ୍ଟ ୨୪ ପ୍ରାର୍ଥୀ ଏସସି-ଏସଟି, ଓବିସି ଏବଂ ସଂଖ୍ୟାଲଘୁ ବର୍ଗର। ଏହାଛଡ଼ା ୧୨ ଜଣ ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ କମ୍। ମାର୍ଚ୍ଚ ୧୧ରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ର ପରବର୍ତ୍ତୀ ବୈଠକରେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ‌ ବୋଲି ସେ କହିଛନ୍ତିି । ମାର୍ଚ୍ଚ ୭ରେ କଂଗ୍ରେସ ସିଇସି ବୈଠକରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ହୋଇଥିଲା।