ବିପୁଳ ପରିମାଣର ନଗଦ ଟଙ୍କା ସହ ଧରାପଡ଼ିଥିବା ଝାଡ଼ଖଣ୍ଡର ତିନି କଂଗ୍ରେସ ବିଧାୟକ ସସପେଣ୍ଡ | News Room Odisha

ବିପୁଳ ପରିମାଣର ନଗଦ ଟଙ୍କା ସହ ଧରାପଡ଼ିଥିବା ଝାଡ଼ଖଣ୍ଡର ତିନି କଂଗ୍ରେସ ବିଧାୟକ ସସପେଣ୍ଡ

ରାଞ୍ଚି: ପଶ୍ଚିମବଙ୍ଗର ହାଓଡାରେ ବିପୁଳ ପରିମାଣର ନଗଦ ଟଙ୍କା ସହ ଧରାପଡ଼ିଥିବା ଝାଡ଼ଖଣ୍ଡର ତିନି କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ଏହି ଘଟଣାର ଦିନକ ପରେ କଂଗ୍ରେସ ଏହି ତିନି ବିଧାୟକ ଇରଫାନ୍ ଅନସାରୀ, ରାଜେଶ କଚ୍ଚାପ ଏବଂ ନମାନ ଭିକ୍ସାଲ କଙ୍ଗୋରୀଙ୍କୁ ଦଳରୁ ସସପେଣ୍ଡ କରିଛି । ରାଞ୍ଚିର ଆର୍ଗୋରା ପୋଲିସ ଥାନାରେ ମଧ୍ୟ ନିଲମ୍ବିତ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

କଂଗ୍ରେସ ନେତା ଅନୁପ ସିଂହ କହିଛନ୍ତି ଯେ ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ତିନି ବିଧାୟକଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ସେ କହିଛନ୍ତି ଯେ ରାଜ୍ୟ ସରକାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି । ଏବେ ଏହି ଘଟଣାର ତଦନ୍ତ କରିବା ପୋଲିସର କାମ।

ଉଲ୍ଲେଖଯୋଗ୍ୟ, ଶନିବାର ରାତିରେ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରେ ଝାଡ଼ଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କୁ ପୋଲିସ ଅଟକାଇ ସେମାନଙ୍କ ଗାଡିରୁ ବହୁ ପରିମାଣର ନଗଦ ଟଙ୍କା ଜବତ କରିଥିଲା ।

ଏହି ଘଟଣା ପରେ କଂଗ୍ରେସ ଅଭିଯୋଗ କରିଥିଲା ଯେ ବିଜେପି ଝାଡଖଣ୍ଡରେ ଏହାର ମେଣ୍ଟ ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରୁଛି । ବିଜେପି ମହାରାଷ୍ଟ୍ରରେ ଯାହା କଲା, ତାହା ଝାଡ଼ଖଣ୍ଡରେ କରିବାକୁ ଚାହୁଁଛି ବୋଲି କଂଗ୍ରେସ କହିଥିଲା । ତିନି ବିଧାୟକଙ୍କ ନିକଟରୁ ବିପୁଳ ନଗଦ ଟଙ୍କା ମିଳିବା ପରେ ଝାଡ଼ଖଣ୍ଡରେ ବିଜେପିର ‘ଅପରେସନ କମଳ’ର ପର୍ଦ୍ଦାଫାସ୍ ହୋଇଛି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଥିଲେ ।