ଆଜି ଆସିବ କଂଗ୍ରେସ ସଭାପତି ନିର୍ବାଚନ ଫଳାଫଳ, ୨୪ ବର୍ଷ ପରେ ଦଳ ପାଇବ ଅଣଗାନ୍ଧୀ ମୁଖିଆ | News Room Odisha

ଆଜି ଆସିବ କଂଗ୍ରେସ ସଭାପତି ନିର୍ବାଚନ ଫଳାଫଳ, ୨୪ ବର୍ଷ ପରେ ଦଳ ପାଇବ ଅଣଗାନ୍ଧୀ ମୁଖିଆ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନର ଭୋଟ୍ ଗଣତି ଆଜି ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବାଲଟ୍ ବକ୍ସଗୁଡ଼ିକ ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ଆଜି ପହଞ୍ଚିବା ପରେ ତାହାକୁ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଛି । ପ୍ରାୟ ୨୪ ବର୍ଷ ପରେ କଂଗ୍ରେସକୁ ଗାନ୍ଧୀ ପରିବାର ବାହାରୁ ସଭାପତି ମିଳିବ । ଭୋଟ୍ ଗ୍ରହଣ ପାଇଁ ପୂରା ଦେଶରେ ୩୬ଟି ପୋଲିଂ ଷ୍ଟେସନରେ ୬୭ଟି ବୁଥ୍ ହୋଇଥିଲା। ଏବେ ରାହୁଲ ଗାନ୍ଧି ଭାରତ ଯୋଡ଼ା ଯାତ୍ରାରେ ଆନ୍ଧ୍ର ପ୍ରଦେଶରେ ଥିବା ବେଳେ ତାଙ୍କ ସହିତ ଦଳର ଅନେକ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଛନ୍ତି।

ଆଜି ଗଣତି ଏବଂ ଫଳାଫଳ ଘୋଷଣା ସମୟରେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ୧୩୭ ବର୍ଷର ପୁରୁଣା ଦଳ କଂଗ୍ରେସର ନୂଆ ସଭାପତି ପାଇଁ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦଳର ୯୫୦୦ ଜଣ ପ୍ରତିନିଧି ଏଥିପାଇଁ ଭୋଟ ଦେଇଛନ୍ତି। ଭୋଟ ପ୍ରତିଶତ ୯୬ ପ୍ରତିଶତ ଥିବା ବେଳେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଥିଲା । ନୂଆଦିଲ୍ଲୀସ୍ଥିତି ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ପି ଚିଦମ୍ବରମଙ୍କ ସମେତ ୮୭ ଜଣ ଭୋଟ ଦେଇଥିଲେ । ସଭାପତି ପଦ ପାଇଁ ବରିଷ୍ଠ କଂଗ୍ରେସ ନେତାମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଖଡ଼ଗେଙ୍କୁ ଗାନ୍ଧି ପରିବାରର ଅଘୋଷିତ ପ୍ରତିନିଧି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଥରୁର ନିଜକୁ ଦଳରେ ପରିବର୍ତ୍ତନଆଣିବା ଲାଗି ନିର୍ବାଚନ ଲଢ଼ୁଛନ୍ତି ବୋଲି ଦାବି କରିଥିଲେ ।