ଜାନୁଆରୀ ୧୪ରୁ କଂଗ୍ରେସର 'ଭାରତ ନ୍ୟାୟ ଯାତ୍ରା' | News Room Odisha

ଜାନୁଆରୀ ୧୪ରୁ କଂଗ୍ରେସର ‘ଭାରତ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ପରେ କଂଗ୍ରେସ ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ କରିବ । ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ମାର୍ଚ୍ଚ ୨୦ରେ‌ ମୁମ୍ବାଇରେ ଶେଷ ହେବ ।ଏହି ସମୟ ମଧ୍ୟରେ ୧୪ଟି ରାଜ୍ୟ ଏବଂ ୮୫ଟି ଜିଲ୍ଲାରେ ୬୦୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ କଂଗ୍ରେସ ଦଳର ଏହି ଯାତ୍ରା ।

କଂଗ୍ରେସର ସାଧାରଣ ସମ୍ପାଦକ (ସଂଗଠନ) କେ.ବେଣୁଗୋପାଳ ବୁଧବାର ‘ଭାରତ ନ୍ୟାୟ ଯାତ୍ରା’ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଦଳର ନେତା ରାହୁଲ ଗାନ୍ଧୀ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବା ଉଚିତ ବୋଲି କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ମତ ପ୍ରକାଶ ପାଇଥିଲା। ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ‘ଭାରତ ନ୍ୟାୟ ଯାତ୍ରା’ ଆୟୋଜନ କରିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନିଷ୍ପତ୍ତି ନେଇଛି |

ବେଣୁଗୋପାଳ କହିଛନ୍ତି, “ରାହୁଲ ଗାନ୍ଧୀ କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ ୪୫୦୦ କିଲୋମିଟର ବ୍ୟାପୀ ‘ଭାରତ ଯୋଡ଼ୋ ଯାତ୍ରା’ କରିଥିଲେ। ଭାରତୀୟ ରାଜନୀତି ଇତିହାସରେ ଏହା ଏକ ଐତିହାସିକ ଯାତ୍ରା ଥିଲା। ସେ ‘ଭାରତ ଯୋଡ଼ୋ ଯାତ୍ରା’ର ଅନୁଭୂତି ସହ ଏହି ଯାତ୍ରା ଆରମ୍ଭ କରିବେ । ଏହି ଯାତ୍ରା ସମୟରେ ଦେଶର ମହିଳା, ଯୁବକ ଏବଂ ଦେଶର ବଞ୍ଚିତ ବର୍ଗର ଲୋକଙ୍କ ସହ ଆଲୋଚନା କରାଯିବ।

ବେଣୁଗୋପାଳ କହିଛନ୍ତି, ଏହି ଯାତ୍ରା ୬,୨୦୦ କିଲୋମିଟର ଦୂରତା ଅତିକ୍ରମ କରି ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟ ଦେଇ ମହାରାଷ୍ଟ୍ରରେ ପହଞ୍ଚିବ।

ସେ କହିଛନ୍ତି, “ଏହି ଯାତ୍ରା ୧୪ଟି ରାଜ୍ୟ ଏବଂ ୮୫ଟି ଜିଲ୍ଲା ଦେଇ ଯିବ। ‘ଭରତ ନ୍ୟାୟ ଯାତ୍ରା’ ପ୍ରାୟତଃ ବସ୍ ଯୋଗେ ହେବ, କିନ୍ତୁ କେତେକ ସ୍ଥାନରେ ପଦଯାତ୍ରା ବି ହେବ।