ସୋନିଆ, ରାହୁଲଙ୍କୁ ଇଡି ସମନ ନେଇ କାଲି ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରିବ କଂଗ୍ରେସ | News Room Odisha

ସୋନିଆ, ରାହୁଲଙ୍କୁ ଇଡି ସମନ ନେଇ କାଲି ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରିବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଜାତୀୟ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ସମନ ନେଇ ରାଜନୀତି ଆରମ୍ଭ ହୋଇଛି। ‘ନ୍ୟାସନାଲ ହେରାଲ୍ଡ’ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ଜାରି କରାଯିବା ପ୍ରସଙ୍ଗରେ ଆସନ୍ତାକାଲି ତଥା ଜୁନ୍ ୧୨ରେ କଂଗ୍ରେସ ଦେଶବ୍ୟାପୀ ସାମ୍ବାଦିକ ସମ୍ମିଳନୀ କରିବ। ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ସୋନିଆ ଗାନ୍ଧୀଙ୍କୁ ଇଡି ପୁଣି ଥରେ ସମନ ଜାରି କରି ନୂଆ ତାରିଖ ଦେଇଛି। ଏଜେନ୍ସି ଏବେ ସୋନିଆ ଗାନ୍ଧୀଙ୍କୁ ଜୁନ୍ ୨୩ରେ ହାଜର ହେବାକୁ କହିଛି । ତେବେ ଏହାପୂର୍ବରୁ ଇଡି ତାଙ୍କୁ ଜୁନ୍ ୮ରେ ହାଜର ହେବାକୁ କହିଥିଲେ। କିନ୍ତୁ କରୋନା ପଜିଟିଭ୍ ଥିବାରୁ ସେ ଯାଇପାରିନଥିଲେ | ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କୁ ଜୁନ୍ ୧୩ରେ ହାଜର ହେବାକୁ କହିଛି ଇଡି।

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଶୁକ୍ରବାର କହିଥିଲେ ଯେ ଗୈରିକ ଦଳ (ବିଜେପି) କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଭୟଭୀତ କରିବାକୁ ଚାହୁଁଛି। ସେ କହିଥିଲେ ରାହୁଲ ଗାନ୍ଧୀ ସମନ ପାଳନ କରିବେ ଏବଂ ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କାର୍ଯ୍ୟାଳୟକୁ ଯିବେ। ସେ କହିଛନ୍ତି ଯେ ବିଜେପି ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ମାଧ୍ୟମରେ ଭୟଭୀତ କରିବାକୁ ଚାହୁଁଛି। ଯେଉଁ ଦିନ ରାହୁଲ ଗାନ୍ଧୀଙ୍କୁ ସମନ କରାଯାଇଛି ସେହି ଦିନ ସେ ଯାଉଛନ୍ତି। ଆମେ ଆମର ନେତାମାନଙ୍କ ସହିତ ମଧ୍ୟ ଶାନ୍ତିରେ ଯିବୁ | ଆମ ଦଳ ଏବଂ ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି।