ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ଅସନ୍ତୋଷ ମଧ୍ୟରେ ରାଜ୍ୟ ପ୍ରଭାରୀ ହରିଶ ରାୱତଙ୍କ ଏକ ବଡ଼ ବୟାନ ଆସିଛି। କ୍ୟାପଟେନ ଅମରିନ୍ଦରଙ୍କ ନେତୃତ୍ୱରେ କଂଗ୍ରେସ ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ରାଓ୍ବତ କହିଛନ୍ତି । ନିକଟରେ ଅମରିନ୍ଦରଙ୍କ ବିରୋଧ ସତ୍ତ୍ଵେ ନବଜୋତ୍ ସିଂ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସର ସଭାପତି ନିଯୁକ୍ତ କରିଥିଲା ଦଳ । ଏହାପରେ ଆଗାମୀ ବିଧାନସଭା ନିର୍ବାଚନରେ ଅମରିନ୍ଦରଙ୍କ ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ରାଓ୍ବତ ଏହି ପ୍ରସଙ୍ଗରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ।
ରାୱତ କହିଛନ୍ତି, କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଆମେ ୨୦୨୨ ପଞ୍ଜାବ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ। ଏହା ସହିତ ରାୱତ ନବଜୋତ ସିଂ ସିଦ୍ଧୁଙ୍କ ବିଷୟରେ କହିଛନ୍ତି ଯେ ଆମେ ତାଙ୍କୁ ପଞ୍ଜାବ କଂଗ୍ରେସର ନେତୃତ୍ବ ଦେଇଛୁ, ଏହାର ଅର୍ଥ ନୁହେଁ ଯେ ଆମେ ପୂରା ଦଳର ଦାୟିତ୍ଵ ତାଙ୍କ ଉପରେ ନ୍ୟସ୍ତ କରିଦେଇଛୁ । କଂଗ୍ରେସର ଆହୁରି ବଡ ବଡ ନେତା ଅଛନ୍ତି ବୋଲି ରାଓ୍ବତ କହିଛନ୍ତି ।