କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ପୁନର୍ଗଠନ, ସୋନିଆ, ରାହୁଲଙ୍କ ସମେତ ଜି-୨୩ ନେତା ବି ସାମିଲ | News Room Odisha

କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ପୁନର୍ଗଠନ, ସୋନିଆ, ରାହୁଲଙ୍କ ସମେତ ଜି-୨୩ ନେତା ବି ସାମିଲ

ନୂଆଦିଲ୍ଲୀ: ଦାୟିତ୍ବ ଗ୍ରହଣ କରିବାର ପ୍ରାୟ ୧୦ ମାସ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରବିବାର ଦଳର ନୂଆ କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ଗଠନ କରିଛନ୍ତି। ଖଡ଼ଗେଙ୍କ ସମେତ ଦଳର ଏହି ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥାରେ ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ରାହୁଲ ଗାନ୍ଧୀଙ୍କ ସହ ଦଳର ଅନେକ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି । କିଛି ଅସନ୍ତୁଷ୍ଟ ଜି-୨୩ ନେତାଙ୍କୁ ମଧ୍ୟ ନୂଆ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦିଆଯାଇଛି ।

ସଭାପତି ପଦ ପାଇଁ ଖଡ଼ଗେଙ୍କୁ ଚ୍ୟାଲେଞ୍ଜ କରିଥିବା ଲୋକସଭା ସଦସ୍ୟ ଶଶି ଥରୁର ଏବଂ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଏଥର ସିଡବ୍ଲୁସିରେ ସ୍ଥାନ ଦିଆଯାଇଛି।

ଦଳର ସାଂଗଠନିକ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ୩୯ ଜଣ ସଦସ୍ୟ, ୩୨ ଜଣ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଏବଂ ୧୩ ଜଣ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଅଛନ୍ତି ।

ଏହାଛଡ଼ା କଂଗ୍ରେସର ଚାରିଟି ଅଗ୍ରଣୀ ସଂଗଠନ – ଯୁବ କଂଗ୍ରେସ, ଏନଏସୟୁଆଇ, ମହିଳା କଂଗ୍ରେସ ଏବଂ ସେବା ଦଳର ମୁଖ୍ୟ ମଧ୍ୟ ସିଡବ୍ଲୁସିର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।

ମଲ୍ଲିକାର୍ଜୁନ ଖଡ଼ଗେ ଗତ ବର୍ଷ ଅକ୍ଟୋବର ୨୬ରେ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରାୟ ୧୦ ମାସ ପରେ ସେ କାର୍ଯ୍ୟକାରିଣୀ କମିଟି ପୁନର୍ଗଠନ କରିଛନ୍ତି।

ପ୍ରିୟଙ୍କା ଗାନ୍ଧୀ ବାଦ୍ରା, ଏ.କେ ଆଣ୍ଟୋନି, ମୀରା କୁମାର, ଜୟରାମ ରମେଶ, ଦିଗବିଜୟ ସିଂହ, ପି ଚିଦାମ୍ବରମ୍, ଆନନ୍ଦ ଶର୍ମା, ଶଶି ଥରୁର ଏବଂ ଅନ୍ୟ କେତେକ ବରିଷ୍ଠ ନେତାଙ୍କୁ ସିଡବ୍ଲୁସିରେ ସାମିଲ କରାଯାଇଛି।

କଂଗ୍ରେସ ସିଡବ୍ଲୁସିରେ ମୋଟ ୧୫ ଜଣ ମହିଳା ସ୍ଥାନ ପାଇଛନ୍ତି | ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କୁମାରୀ ସୈଲଜା, ଅମ୍ବିକା ସୋନି, ମୀରା କୁମାର ଏବଂ ଦୀପା ଦାସମୁନସୀ ଏହି ନୂଆ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ସାମିଲ ହୋଇଛନ୍ତି। ପ୍ରତୀଭା ସିଂହ, ମୀନାକ୍ଷୀ ନଟରାଜନ୍, ଫୁଲୋ ଦେବୀ ନେତମ ଏବଂ ରଜନୀ ପାଟିଲ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ହେବେ।

ୟଶୋମତି ଠାକୁର, ସୁପ୍ରିୟା ଶ୍ରୀନେତ୍, ପରିଣୀତି ସିନ୍ଦେ ଏବଂ ଅଲକା ଲାମ୍ବାଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଏବଂ ମହିଳା କଂଗ୍ରେସ ମୁଖ୍ୟ ନେଟା ଡି’ସୁଜାଙ୍କୁ ସମ୍ମାନିତ ସଦସ୍ୟ ଭାବେ ସାମିଲ କରାଯାଇଛି।

ପାର୍ଟିର ସାଧାରଣ ସମ୍ପାଦକ ମୁକୁଲ ୱାସନିକ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ବରିଷ୍ଠ ନେତ୍ରୀ ମୀରା କୁମାର ଏବଂ କୁମାରୀ ସୈଲଜା ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ପ୍ରମୁଖ ଦଳିତ ଚେହେରା ।

କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ମୁସଲିମ ସଦସ୍ୟମାନେ ହେଉଛନ୍ତି ତାରିକ ଅନୱାର, ସଲମାନ ଖୁରସିଦ, ଗୁଲାମ ଅହମ୍ମଦ ମିର ଏବଂ ସୟଦ ନାସିର ହୁସେନ୍।

କଂଗ୍ରେସର ଗଣମାଧ୍ୟମ ବିଭାଗର ମୁଖ୍ୟ ପୱନ ଖେଡା ଏବଂ ସୋସିଆଲ ମିଡିଆ ବିଭାଗର ମୁଖ୍ୟ ସୁପ୍ରିୟା ଶ୍ରୀନେତଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସିଡବ୍ଲୁସିରେ ସାମିଲ କରାଯାଇଛି।

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ, ଦଳର କୋଷାଧ୍ୟକ୍ଷ ପୱନ କୁମାର ବଂସଲ, ବରିଷ୍ଠ ନେତା ମୋହନ ପ୍ରକାଶ, ବୀରପ୍ପା ମୋଇଲି, ମନୀଷ ତିୱାରୀ, କେ.ରାଜୁ ଏବଂ ବି.କେ ହରି ପ୍ରସାଦଙ୍କୁ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଭାବେ ସିଡବ୍ଲୁସିରେ ସ୍ଥାନ ଦିଆଯାଇଛି |