କେଜ୍ରିୱାଲଙ୍କୁ ୫୦ କୋଟି ଟଙ୍କା ଦେଇଥିବା ନେଇ ମହାଠକ ସୁକେଶ ଚନ୍ଦ୍ରଶେଖରର ଦାବି | News Room Odisha

କେଜ୍ରିୱାଲଙ୍କୁ ୫୦ କୋଟି ଟଙ୍କା ଦେଇଥିବା ନେଇ ମହାଠକ ସୁକେଶ ଚନ୍ଦ୍ରଶେଖରର ଦାବି

ନୂଆଦିଲ୍ଲୀ:ମହାଠକ ସୁକେଶ ଚନ୍ଦ୍ରଶେଖର ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କ ବିରୋଧରେ ଆଉ ଏକ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି । ଏଥର ସେ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନେଇଛନ୍ତି ।

ତାଙ୍କ ଓକିଲମାନଙ୍କୁ ପଠାଇଥିବା ଏକ ଚିଠିରେ ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି ଯେ ସେ ଦିଲ୍ଲୀର ଉପରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବା ଦିନଠାରୁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତିହାର ଜେଲର ପୂର୍ବତନ ଡିଜି ମାଧ୍ୟମରେ ତାଙ୍କୁ ଧମକ ଦେଉଛନ୍ତି। ତାଙ୍କ ସତ ପଦାକୁ ଆସିବ ।

ସେ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନେଇ କହିଛନ୍ତି, “କେଜ୍ରିୱାଲ ଜୀ, ଯଦି ଆପଣ ମୋତେ ସବୁଠୁ ବଡ ଠକ ବୋଲି ଭାବୁଛନ୍ତି, ତେବେ କେଉଁ ଆଧାରରେ ଆପଣ ମୋ ଠାରୁ ୫୦ କୋଟି ଟଙ୍କା ନେଇ ମୋତେ ରାଜ୍ୟସଭା ସିଟ୍ ଯାଚିଥିଲେ ? ଏଥିପାଇଁ ଆପଣକୁ କଣ କୁହାଯିବ? ମହାଠକ?

କେଜ୍ରିୱାଲ ତାଙ୍କୁ ୨୦୧୬ରେ ୫୦୦ କୋଟି ଟଙ୍କା ବଦଳରେ ତାଙ୍କୁ ସିଟ୍ ଏବଂ ଦଳରେ ଏକ ବଡ଼ ପଦବୀ ଦେବାକୁ ମଧ୍ୟ କହିଥିଲେ । କେଜ୍ରିୱାଲ ସେହିବର୍ଷ ହୟାତ୍ ହାଇଟ୍ ଠାରେ ସତ୍ୟେନ୍ଦ୍ର ଜୈନଙ୍କ ସହ ତାଙ୍କ ଡିନର୍ ପାର୍ଟିକୁ ଆସିଥିଲେ ବୋଲି ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି ।

୨୦୧୭ରେ ସତ୍ୟେନ୍ଦ୍ର ଜୈନ ଯେତେବେଳେ ତାଙ୍କୁ ତିହାର ଜେଲରେ ଭେଟିବାକୁ ଆସିଥିଲେ, କେଜ୍ରିୱାଲ ଜୈନଙ୍କ ଫୋନରେ ତାଙ୍କ ସହ କଥା ହୋଇଥିଲେ ।

ସୁକେଶ ଚନ୍ଦ୍ରଶେଖର ଲେଖିଛନ୍ତି, କେଜ୍ରିୱାଲ ଜୀ ଏବଂ ସତ୍ୟେନ୍ଦ୍ର ଜୈନ ତିହାର ପ୍ରଶାସନ ମାଧ୍ୟମରେ ମୋତେ ଧମକ ଦେଉଛନ୍ତି। କିନ୍ତୁ ସେ ତାଙ୍କର ଧମକକୁ ଡରୁନି ବୋଲି ସେ କହିଛନ୍ତି ।

ସୁକେଶ ଚନ୍ଦ୍ରଶେଖରଙ୍କୁ ଦିଲ୍ଲୀର ମାଣ୍ଡୋଲି ଜେଲରେ ରଖାଯାଇଛି। ସେ ଏହା ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ତିହାର ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ସେ ସୁରକ୍ଷା ଟଙ୍କା ଭାବ ୧୦ କୋଟି ଟଙ୍କା ଦେଇଥିଲେ ।

ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଲେଖିଥିବା ଏକ ପତ୍ରରେ ଚନ୍ଦ୍ରଶେଖର ଦାବି କରିଥିଲେ ଯେ ସେ ସତ୍ୟେନ୍ଦ୍ର ଜୈନଙ୍କୁ ୨୦୧୫ ମସିହାରୁ ଜାଣିଛନ୍ତି। ଦକ୍ଷିଣ ଭାରତ ପାଇଁ ଦଳରେ ତାଙ୍କୁ ଏକ ଉଚ୍ଚ ପଦବୀର ପ୍ରତିଶ୍ରୁତି ଦିଆଯାଇଥିବାରୁ ସେ ଆପକୁ ମୋଟ ୫୦ କୋଟି ଟଙ୍କା ପ୍ରଦାନ କରିଥିଲେ ବୋଲି ଚନ୍ଦ୍ରଶେଖର ଚିଠିରେ ଦାବି କରିଥିଲେ ।

ଫୋର୍ଟିସ୍ ହେଲଥ କେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ମୋହନ ସିଂଙ୍କ ପତ୍ନୀ ଆଦିତୀଙ୍କ ପରି ହାଇ ପ୍ରୋଫାଇଲ୍ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରାଯାଇଥିଲା।