ବିବାଦୀୟ ଡାଟା ପ୍ରୋଟେକସନ୍ ବିଲ୍ ଲୋକସଭାରେ ପାରିତ, ବିରୋଧୀ କହିଲେ ଗୋପନୀୟତାର ଉଲ୍ଲଂଘନ କରିବ | News Room Odisha

ବିବାଦୀୟ ଡାଟା ପ୍ରୋଟେକସନ୍ ବିଲ୍ ଲୋକସଭାରେ ପାରିତ, ବିରୋଧୀ କହିଲେ ଗୋପନୀୟତାର ଉଲ୍ଲଂଘନ କରିବ

ନୂଆଦିଲ୍ଲୀ: ବିରୋଧୀଙ୍କ ବିରୋଧ ମଧ୍ୟରେ ସୋମବାର ଲୋକସଭାରେ ବିବାଦୀୟ ଡାଟା ପ୍ରୋଟେକସନ୍ ବିଲ୍ ପାରିତ ହୋଇଛି। ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ବିଲ୍, ୨୦୨୩ ଲୋକସଭାରେ ବାଚନିକ ଭୋଟ୍ ଦ୍ୱାରା ପାରିତ ହୋଇଥିଲା | ଏହି ବିଲ୍ ଅନୁଯାୟୀ, ନିୟମ ଉଲ୍ଲଂଘନ କରୁଥିବା କମ୍ପାନୀ ବା ସଂସ୍ଥା ଉପରେ ସର୍ବନିମ୍ନ ୫୦ କୋଟି ଟଙ୍କା ଏବଂ ସର୍ବାଧିକ ୨୫୦ କୋଟି ଟଙ୍କା ଜରିମାନା ଲଗାଯାଇ ପାରିବ।

ଡାଟା ପ୍ରୋଟେକସନ୍ ବିଲ୍ ଲାଗୁ ହେବା ପରେ ଯଦି କୌଣସି କମ୍ପାନୀ କିମ୍ବା ଅନୁଷ୍ଠାନ ନିୟମ ଉଲ୍ଲଂଘନ କରେ ଏବଂ କୌଣସି ବ୍ୟକ୍ତିଙ୍କ ଡାଟା ଲିକ୍ ହୁଏ, ତା’ହେଲେ ସମ୍ପୃକ୍ତ କମ୍ପାନୀ/ସଂସ୍ଥା ଉପରେ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ। ଏହି ନିୟମ ଲାଗୁ ହେବା ପରେ ଲୋକମାନେ ସେମାନଙ୍କର ଡାଟା, ଷ୍ଟୋରେଜ୍ ଏବଂ ଏହାର ପ୍ରୋସେସିଂ ବିଷୟରେ ସୂଚନା ମାଗିବାର ଅଧିକାର ପାଇବେ।

ଏହି ବିଲ୍ ଅନୁଯାୟୀ ଏକ ଡାଟା ପ୍ରୋଟେକସନ୍ ବୋର୍ଡ ମଧ୍ୟ ଗଠନ କରାଯିବ। ଯଦି କୌଣସି ପ୍ରସଙ୍ଗରେ ବିବାଦ ଉପୁଜେ, ତେବେ ଡାଟା ପ୍ରୋଟେକସନ୍ ବୋର୍ଡ ଏ ବାବଦରେ ନିଷ୍ପତ୍ତି ନେବ। ଏହି ବିଲ୍ ଅନୁଯାୟୀ ବର୍ତ୍ତମାନ ନାଗରିକମାନେ ସିଭିଲ୍ କୋର୍ଟକୁ ଯାଇ କ୍ଷତିପୂରଣ ଦାବି କରିବାର ଅଧିକାର ମଧ୍ୟ ପାଇବେ। ବିଲରେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ଡାଟା ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ଏହି ବିଲ୍ ଉପରେ ଆଲୋଚନା ବେଳେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ବିଲ୍ ଦେଶର ୧୪୦ କୋଟି ଲୋକଙ୍କ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସହ ଜଡିତ। ସଂସଦର ଷ୍ଟାଣ୍ଡିଂ କମିଟି ସମେତ ଅନ୍ୟ ଫୋରମରେ ଗତ କିଛି ବର୍ଷ ଧରି ଏହି ବିଲ୍ ଉପରେ ଆଲୋଚନା କରାଯାଇଥିଲା । ୪୮ ସଂସ୍ଥା ଏବଂ ୩୯ ବିଭାଗ / ମନ୍ତ୍ରଣାଳୟ ଏହା ଉପରେ ଆଲୋଚନା କରିଥିଲେ ଏବଂ ଏହା ଉପରେ ୨୪ ହଜାର ପ୍ରସ୍ତାବ ଓ ପରାମର୍ଶ ମିଳିଥିଲା |

ବିରୋଧୀମାନେ ଏହି ବିଲକୁ ବିରୋଧ କରିଛନ୍ତି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ ଏହି ଆଇନ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରୁଛି। ଡାଟା ସୁରକ୍ଷା ବାହାନାରେ ଲୋକଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେବ ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ଏହା ଚୂଡାନ୍ତ ବିଲ୍ ନୁହେଁ ଏବଂ ଏହାକୁ ସମୀକ୍ଷା ପାଇଁ ସଂସଦୀୟ କମିଟି ନିକଟକୁ ପଠାଇବା ଆବଶ୍ୟକ | କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ଏହି ବିଲ୍ ସଂସଦୀୟ ପ୍ୟାନେଲକୁ ପଠାଯିବା ଉଚିତ ବୋଲି କହିଛନ୍ତି।

ଡାଟା ପ୍ରୋଟେକସନ୍ ବିଲ୍ ଲାଗୁ ହେବା ପରେ ସରକାର ସୋସିଆଲ୍ ମିଡିଆ କମ୍ପାନୀଗୁଡିକର ମନମାନି ଉପରେ ଅଙ୍କୁଶ ଲଗାଇ ପାରିବେ। ଯେତେବେଳେ ବି କୌଣସି କମ୍ପାନୀ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ଅନୁମତି ନେବାକୁ ପଡିବ | ଏହି ବିଲ୍ ଅନୁଯାୟୀ, ଯଦି ସମ୍ପୃକ୍ତ ବ୍ୟକ୍ତି ଏଥିପାଇଁ ସମ୍ମତି ପ୍ରଦାନ କରନ୍ତି ତେବେ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରାଯାଇ ପାରିବ | ତେବେ ଜାତୀୟ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ମାମଲାରେ ଅନୁମତି ଆବଶ୍ୟକ ହେବ ନାହିଁ।