ସିସୋଦିଆଙ୍କ ସିବିଆଇ ହାଜତ ମିଆଦ ଆଉ ଦୁଇ ଦିନ ବଢ଼ିଲା, ଜାମିନ ଆବେଦନ ଉପରେ ରାୟ ମାର୍ଚ୍ଚ ୧୦ରେ | News Room Odisha

ସିସୋଦିଆଙ୍କ ସିବିଆଇ ହାଜତ ମିଆଦ ଆଉ ଦୁଇ ଦିନ ବଢ଼ିଲା, ଜାମିନ ଆବେଦନ ଉପରେ ରାୟ ମାର୍ଚ୍ଚ ୧୦ରେ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆଙ୍କୁ ଶନିବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଉ ଦୁଇ ଦିନ ସିବିଆଇ ହାଜତକୁ ପଠାଇଛନ୍ତି । ସିସୋଦିଆଙ୍କ ତରଫରୁ ଦାଖଲ ଜାମିନ ଆବେଦନ ଉପରେ କୋର୍ଟ ସିବିଆଇକୁ ଜବାବ ମାଗିଛନ୍ତି । ଜାମିନ ଆବେଦନ ଉପରେ ମାର୍ଚ୍ଚ ୧୦ରେ କୋର୍ଟ ତାଙ୍କ ରାୟ ଶୁଣାଇବା ।

ମଦ ଦୁର୍ନୀତି ମାମଲାରେ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ | ଫେବୃଆରୀ ୨୭ରେ କୋର୍ଟ ତାଙ୍କୁ ପାଞ୍ଚ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଥିଲେ। ରିମାଣ୍ଡର ଅବଧି ଆଜି ଶେଷ ହେବା ପରେ ସିସୋଦିଆଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା | ସିବିଆଇ ଆଉ ତିନି ଦିନ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ହେଲେ କୋର୍ଟ ତାଙ୍କୁ ଦୁଇଦିନ ସିବିଆଇ ହାଜତକୁ ପଠାଇଛନ୍ତି ‌।

ସିସୋଦିଆ ଶୁକ୍ରବାର ରାଉସ୍ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଥିଲେ। ସିସୋଦିଆ ତାଙ୍କ ଆବେଦନରେ କହିଥିଲେ ଯେ ସେ ତଦନ୍ତରେ ସହଯୋଗ କରୁଛନ୍ତି ଏବଂ ତାଙ୍କୁ ହାଜତରେ ରଖିବା ଦ୍ୱାରା କିଛି ସମାଧାନ ହେବ ନାହିଁ କାରଣ ପୂର୍ବରୁ ହିଁ ସବୁ ରିକଭରୀ ହୋଇସାରିଛି। ତାଙ୍କୁ ବର୍ତ୍ତମାନ ହେପାଜତରେ ରଖିବାର କୌଣସି କାରଣ ନାହିଁ।

ଏହାପୂର୍ବରୁ ସିସୋଦିଆ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ ତାଙ୍କ ଆବେଦନ ଶୁଣିବାକୁ ମନା କରିଥିଲେ ଓ ତାଙ୍କୁ ପ୍ରଥମେ ହାଇକୋର୍ଟ ଯିବାକୁ କହିଥିଲେ।