ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, 'ମୋଦୀ ସାଙ୍ଗିଆ' ବୟାନ ମାମଲାରେ ଅପିଲ ଖାରଜ | News Room Odisha

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା, ‘ମୋଦୀ ସାଙ୍ଗିଆ’ ବୟାନ ମାମଲାରେ ଅପିଲ ଖାରଜ

ସୁରଟ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲାଗିଛି ବଡ଼ ଝଟକା । ‘ମୋଦୀ ସାଙ୍ଗିଆ’ ବୟାନ ମାମଲାରେ ତଳକୋର୍ଟ ରାୟ ବିରୋଧରେ ରାହୁଲଙ୍କ ଆବେଦନକୁ ସୁରଟର ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାରେ ତଳକୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ରାହୁଲ ଅପିଲ କରିଥିଲେ । ହେଲେ ତାଙ୍କ ଅପିଲ ଖାରଜ ହୋଇଥିବା ବେଳେ ରାହୁଲ ଗାନ୍ଧୀ ଏବେ ହାଇକୋର୍ଟ ଯିବେ।

୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକରେ ଏକ ରାଲିରେ ରାହୁଲ ଗାନ୍ଧୀଙ୍କ ‘ମୋଦୀ ସାଙ୍ଗିଆଧାରୀ ଚୋର” ବୟାନ ପାଇଁ ଏହି କଂଗ୍ରେସ ନେତାଙ୍କ ବିରୋଧରେ ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ମାନହାନି ମାମଲା ଦାୟର କରିଥିଲେ ।

ଏହି ମାମଲାରେ ସୁରଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ଚଳିତ ବର୍ଷ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।‌ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦିନକ ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ରାହୁଲ କେରଳର ୱାୟାନାଡର ସାଂସଦ ଥିଲେ।

ଏପ୍ରିଲ ୨ରେ ରାହୁଲ ତଳକୋର୍ଟ ରାୟ ବିରୋଧରେ ସୁରଟ ସେସନ୍ସ କୋର୍ଟରେ ଅପିଲ କରିଥିଲେ। ରାହୁଲଙ୍କ ଆବେଦନର ଶୁଣାଣି କରି ସେସନ୍ସ ଜଜ୍ ଆରପି ମୋଗେରାଙ୍କ କୋର୍ଟ ଏପ୍ରିଲ୍ ୧୩ରେ ରାୟ ସଂରକ୍ଷିତ ରଖିଥିଲେ।