ରାଜ୍ୟରେ ଦିନିକିଆ କୋରୋନା ସଂକ୍ରମଣ ତାଲିକାରେ ୩ ହଜାର ୨୬୭ ନୂଆ ରୋଗୀ, ରେକର୍ଡ ଭାଙ୍ଗୁଛି ଖୋର୍ଧା ଜିଲ୍ଲା, ଦିନକରେ ରେକର୍ଡ ୮୫୯ ପଜିଟିଭ, ଗଂଜାମରେ ୧୦୦ରୁ କମ୍ ଚିହ୍ନଟ | News Room Odisha

ରାଜ୍ୟରେ ଦିନିକିଆ କୋରୋନା ସଂକ୍ରମଣ ତାଲିକାରେ ୩ ହଜାର ୨୬୭ ନୂଆ ରୋଗୀ, ରେକର୍ଡ ଭାଙ୍ଗୁଛି ଖୋର୍ଧା ଜିଲ୍ଲା, ଦିନକରେ ରେକର୍ଡ ୮୫୯ ପଜିଟିଭ, ଗଂଜାମରେ ୧୦୦ରୁ କମ୍ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦିନକରେ ସମସ୍ତ ୩୦ ଜିଲ୍ଲାରୁ ଆଉ ୩ ହଜାର ୨୬୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ରେକର୍ଡ ୮୫୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ରାଜ୍ୟରେ ପ୍ରଥମ ଥର ପାଇଁ କୌଣସି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି । ଏପରିକି ଗଂଜାମ ଜିଲ୍ଲାରୁ ମଧ୍ୟ ଏତେ ସଂଖ୍ୟକ ରୋଗୀ ଦିନକରେ ଚିହ୍ନଟ ହୋଇ ନ ଥିଲେ । ନୂଆ ତାଲିକା ଅନୁସାରେ କଟକ ଜିଲ୍ଲାରୁ ୩୮୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ପୁରୀରୁ ଚିହ୍ନଟ ହୋଇଛନ୍ତି ୨୩୫ ଜଣ ରୋଗୀ ।

ସବୁଠାରୁ ବଡ କଥା ହେଲା ଜୁଲାଇ ପହିଲା ପରେ ଗଂଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ୧୦୦ରୁ କମ୍ ରୋଗୀ ଦିନକରେ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରେ ଗତ ୨୪ ଘଂଟାରେ ମାତ୍ର ୯୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରୁ ରାୟଗଡାରୁ ୧୬୯, ଭଦ୍ରକରୁ ୧୩୮, ମୟୂରଭଂଜରୁ ୧୩୪, ସୁନ୍ଦରଗଡରୁ ୧୨୭ ଓ କେନ୍ଦୁଝର ଜିଲ୍ଲାରୁ ୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ ବୃଦ୍ଧି ପାଇଥିବା ବେଳେ ୮୭ ହଜାର ୩୫୧ ଜଣ ସୁସ୍ଥ ହୋଇଛନ୍ତି । ୨୮ ହଜାର ୭୪୩ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ ଏଯାଏଁ ୧୯ ଲକ୍ଷ ୯୭ ହଜାର ୩୪୫ କୋଭିଡ୍ ଟେଷ୍ଟ କରାଯାଇଛି ।

ସେପଟେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୯ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୫୩୧ରେ ପହଂଚିଛି ।