ଦୁଇ ଡୋଜ୍ ନେବାର ତିନି ମାସ ପରେ କମି ଯାଉଛି କୋଭିଶିଲ୍ଡ ଟିକାର ପ୍ରଭାବ | News Room Odisha

ଦୁଇ ଡୋଜ୍ ନେବାର ତିନି ମାସ ପରେ କମି ଯାଉଛି କୋଭିଶିଲ୍ଡ ଟିକାର ପ୍ରଭାବ

ଲଣ୍ଡନ: ଦୁଇ ଡୋଜ୍ ନେବାର ତିନି ମାସ ପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ୍ ଟିକାର ପ୍ରଭାବ କମିଯାଉଛି | ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଆଷ୍ଟ୍ରାଜେନେକା ଟିକାକୁ ନେଇ ଏଭଳି ଦାବି କରାଯାଇଛି |

ବ୍ରାଜିଲ ଏବଂ ସ୍କଟଲ୍ୟାଣ୍ଡର ତଥ୍ୟର ସମୀକ୍ଷାରୁ ଜଣାପଡିଛି ଯେ କୋଭିଡ୍-୧୯ରୁ ରକ୍ଷା ପାଇବା ପାଇଁ ଆଷ୍ଟ୍ରାଜେନେକା ଟିକା ନେଇଥିବା ଲୋକଙ୍କୁ ଏକ ବୁଷ୍ଟର ଡୋଜ୍ ଆବଶ୍ୟକ। ଆଷ୍ଟ୍ରାଜେନେକା ଟିକା ଭାରତରେ କୋଭିଶିଲ୍ଡ ଭାବେ ବ୍ୟବହାର କରାଯାଉଛି |

ଗବେଷକମାନେ ଆଷ୍ଟ୍ରା ଜେନେକା ଟିକା ନେଇଥିବା ସ୍କଟଲ୍ୟାଣ୍ଡର ୨୦ ଲକ୍ଷ ଲୋକ ଏବଂ ବ୍ରାଜିଲରେ ୪.୨ କୋଟି ଲୋକଙ୍କୁ ନେଇ ତଥ୍ୟ ବିଶ୍ଳେଷଣ କରିଥିଲେ ।

ସ୍କଟଲ୍ୟାଣ୍ଡରେ ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ତୁଳନାରେ ପ୍ରାୟ ପାଞ୍ଚ ମାସ ପରେ କରୋନା ସଂକ୍ରମଣ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ସମ୍ଭାବନା ପ୍ରାୟ ପାଞ୍ଚଗୁଣ ବୃଦ୍ଧି ପାଇଥିଲା । ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ତିନିମାସ ପରେ ଟିକାର ପ୍ରଭାବ କମିବା ଆରମ୍ଭ ଲକ୍ଷ୍ୟ କରାଯାଇଥିଲା ।

ଗବେଷକମାନେ କହିଛନ୍ତି, ଭାଇରସ କ୍ରମାଗତ ରୂପ ବଦଳାଇବା ଯୋଗୁଁ ଟିକା ଗୁଡ଼ିକର ପ୍ରଭାବ ଓ ଫଳପ୍ରଦତା ହ୍ରାସ ହୋଇଛି।