ବୁଷ୍ଟର ଡୋଜ୍ ଅଭିଯାନ ପୂର୍ବରୁ କମିଲା କୋଭିଶିଲ୍ଡ, କୋଭାକ୍ସିନ ଟିକା ଦର; କେତେ ଟଙ୍କାରେ ମିଳିବ କରୋନା ଭାକ୍ସିନ୍ ଜାଣନ୍ତୁ | News Room Odisha

ବୁଷ୍ଟର ଡୋଜ୍ ଅଭିଯାନ ପୂର୍ବରୁ କମିଲା କୋଭିଶିଲ୍ଡ, କୋଭାକ୍ସିନ ଟିକା ଦର; କେତେ ଟଙ୍କାରେ ମିଳିବ କରୋନା ଭାକ୍ସିନ୍ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶବ୍ୟାପୀ ବୁଷ୍ଟର ଡୋଜ୍ ଅଭିଯାନ ଆରମ୍ଭ ହେବାର ଦିନକ ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ନିଜ କରୋନା ଟିକା ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି | ଘରୋଇ ହସ୍ପିଟାଲରେ କୋଭିଶିଲ୍ଡ ଟିକା ମୂଲ୍ୟ ୬୦୦ ରୁ ୨୨୫ ଟଙ୍କାକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ସେରମ୍ ।

ଭାରତ ବାୟୋଟେକ ମଧ୍ୟ ଏହାର କୋଭାକ୍ସିନ ବୁଷ୍ଟର ଡୋଜର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି। କମ୍ପାନୀର ଯୁଗ୍ମ ନିର୍ଦ୍ଦେଶକ ସୁଚିତ୍ରା ଏଲା କହିଛନ୍ତି ଯେ ଘରୋଇ ହସ୍ପିଟାଲ୍ ପାଇଁ କୋଭାକ୍ସିନ୍ର ମୂଲ୍ୟ ଡୋଜ୍ ପିଛା ୧୨୦୦ ରୁ ୨୨୫ ଟଙ୍କାକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି।

ପୂର୍ବରୁ ଘରୋଇ ହସ୍ପିଟାଲରେ କୋଭିଶିଲ୍ଡ ଟିକାର ଗୋଟିଏ ଡୋଜ୍ ମୂଲ୍ୟ ୬୦୦ ଟଙ୍କା ଏବଂ ଭାରତ ବାୟୋଟର ଟିକା ମୂଲ୍ୟ ୧୨୦୦ ଟଙ୍କା ଥିଲା।

ଏପ୍ରିଲ ୧୦ରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ ବୋଲି କେନ୍ଦ୍ର ସରକାର ଶୁକ୍ରବାର କହିଥିଲେ । ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକ ଘରୋଇ ଟିକାକରଣ କେନ୍ଦ୍ରରେ ଧାର୍ଯ୍ୟ ଟଙ୍କା ପୈଠ କରି ବୁଷ୍ଟର ଡୋଜ୍ ନେଇପାରିବେ ।